ଦେଶର ରାଜନୈତିକ ପରିଦୃଶ୍ୟରେ ଶୁକ୍ରବାର ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ରାଘବ ଚଢ଼ା, ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକଙ୍କ ସମେତ ୭ ଜଣ ରାଜ୍ୟସଭା ସାଂସଦ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ମୁଖ୍ୟ ନିତିନ ନବୀନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ସାଂସଦମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତି ମାଲିୱାଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହନୀ ମଧ୍ୟ ଆପ୍ ପରିତ୍ୟାଗ କରି ବିଜେପି ଶିବିରକୁ ଆସିଛନ୍ତି। ବିଜେପି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ନିତିନ ନବୀନ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଏହା ଦଳ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି।
ରାଜନୈତିକ ମହଲରେ ଏହି ଘଟଣାକୁ ‘ସାମ୍ବାଧାନିକ ମିଶ୍ରଣ’ର ଆଖ୍ୟା ଦିଆଯାଉଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାଘବ ଚଢ଼ା କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଦଳର ଦୁଇ-ତୃତୀୟାଂଶ ସାଂସଦ ଅନ୍ୟ ଏକ ଦଳ ସହ ମିଶନ୍ତି, ତେବେ ତାହା ବୈଧ ବିବେଚିତ ହୁଏ। ଏହି ଆଧାରରେ ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ସହ ଏକ ପତ୍ର ପ୍ରଦାନ କରିଛନ୍ତି।
