ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜରାଟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ବନାସକାଣ୍ଠାରେ ପିଏମ୍ କିଷାନ ଯୋଜନାର କିସ୍ତି ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଚାଷୀମାନେ ଦେଶର ମଜବୁତ ଭିତ୍ତିଭୂମି ଏବଂ ବିକାଶର ମୁଖ୍ୟ ସ୍ତମ୍ଭ । ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ସେମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ସରକାର କାମ କରୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ ସମୟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି । ଏଥିରେ ସଡ଼କ ଯୋଗାଯୋଗ, କୃଷି ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ସାମିଲ ରହିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଆର୍ଥିକ କାର୍ଯ୍ୟକଳାପକୁ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।
ଗୁଜରାଟରେ ରେଳ ଯୋଗାଯୋଗକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ନୂଆ ଟ୍ରେନ୍ ସେବାକୁ ସବୁଜ ପତାକା ଦେଖାଇଛନ୍ତି । ଏଥିରେ ଅହମ୍ମଦାବାଦ (ସାବରମତୀ)ରୁ ବାରାଣସୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଏକ୍ସପ୍ରେସ୍ ଟ୍ରେନ୍ ଏବଂ ମେହସାଣା-ବେଚରାଜୀ-ସାବରମତୀ ମଧ୍ୟରେ ଚଳାଚଳ କରିବାକୁ ଥିବା MEMU ଟ୍ରେନ୍ ରହିଛି ।

