ଓଡ଼ିଶାର ବିଭିନ୍ନ ଜାଗା ନାମର ଇଂରାଜୀ ବନାନ ବଦଳିବ। ଏଥିପାଇଁ ଗତ କିଛି ଦିନ ଧରି ପ୍ରଶାସନିକ ପ୍ରକ୍ରିୟା ଚାଲିଥିଲା। ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୬ଟି ଜିଲ୍ଲାର ୬୪ଟି ସ୍ଥାନ ନାମର ଇଂରାଜୀ ବନାନ ସଂଶୋଧନ ପାଇଁ ସୁପାରିସ କରିଥିଲା। ଆଜି କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଛି।
ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏହା ଅବଗତ କରାଇବେ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସମେତ ୬ଟି ବିଭାଗର ୮ଟି ପ୍ରସ୍ତାବ ପାରିତ ହୋଇଛି। ବିକୃତ ଇଂରାଜୀ ବନାନକୁ ସଂଶୋଧନ କରିବାକୁ ଜିଲ୍ଲାପାଳ, ଜନପ୍ରତିନିଧି ଓ ନାଗରିକଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ସେହି ପ୍ରସ୍ତାବର ସମୀକ୍ଷା ପାଇଁ ସରକାର ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ। ଏହି କମିଟି ୬୪ଟି ସ୍ଥାନର ନାମ ଚୂଡ଼ାନ୍ତ କରି ସରକାରଙ୍କୁ ସୁପାରିସ କରିଥିଲେ।
କ୍ୟାବିନେଟ୍ ମୋହର ବାଜିଲା ପରେ ସର୍ଭେ ଅଫ୍ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ, ରେଜିଷ୍ଟ୍ରାର ଜେନେରାଲ୍, ଜନଗଣନା କମିସନରଙ୍କ ସମେତ ସମସ୍ତ କେନ୍ଦ୍ରୀୟ ସଂସ୍ଥାକୁ ନିଜ ସରକାରୀ ରେକର୍ଡରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଅନୁରୋଧ କରାଯିବ। ଓଡ଼ିଆ ଭାଷାଗତ ଐତିହ୍ୟ ଓ ସାଂସ୍କୃତିକ ପରିଚୟ ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ନ ଦେଲେ କାର୍ଯ୍ୟାନୁଷ୍ଠାନ
ସରକାରୀ କର୍ମଚାରୀମାନେ ପ୍ରତିବର୍ଷ ଜାନୁଆରି ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ। ଏଚ୍ଆରଏମ୍ଏସ୍ ମାଧ୍ୟମରେ ଏହା ଦାଖଲ କରିବାକୁ ହେବ। ଅନ୍ଲାଇନ୍ ମାଧ୍ୟମରେ ଏହା ଦାଖଲ ପାଇଁ ନିୟମ ଥିଲେ ମଧ୍ୟ ଅନେକ କର୍ମଚାରୀ ଏହା ପ୍ରଦାନ କରୁନାହାନ୍ତି। ଏପିଆର୍ ଠିକ୍ ସମୟରେ ଦାଖଲ ନକଲେ ଓଡ଼ିଶା ସରକାରଙ୍କ ଆଚରଣ ନିୟମାବଳୀରେ କୌଣସି ବ୍ୟବସ୍ଥା ନଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିୟମରେ ସଂଶୋଧନ ଆଣିଛନ୍ତି। ଏବେ ଏହି ନିୟମକୁ ଉଲ୍ଲଂଘନ କଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅସମ୍ପୂର୍ଣ୍ଣ, ବିଭ୍ରାନ୍ତିକର ବା ମିଥ୍ୟା ତଥ୍ୟ ଦାଖଲ କଲେ ଗୁରୁତର ଦଣ୍ଡବିଧାନସ୍ବରୂପ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂତାକଳର ବକେୟା ଋଣ ପରିଶୋଧ ପାଇଁ ୩୬୧ କୋଟି
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ବନ୍ଦ ସମବାୟ ସୂତାକଳ ଓ ତନ୍ତ ୟୁନିଟ୍ଗୁଡ଼ିକର ବକେୟା ଋଣ ପରିଶୋଧ ପାଇଁ ବଜେଟ୍ ବ୍ୟବସ୍ଥା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ରାଜ୍ୟ ସମବାୟ ସ୍ପିନିଂ ମିଲ୍ସ ଫେଡେରେସନ୍ ଅଧୀନରେ ପରିଚାଳିତ ୟୁନିଟ୍ଗୁଡ଼ିକ ଆର୍ଥିକ ସଙ୍କଟ ଓ ବିଭିନ୍ନ ଅସୁବିଧା ଯୋଗୁ ଅଚଳ ହୋଇପଡ଼ିଥିଲା। ଏଗୁଡ଼ିକର ପୁନରୁଦ୍ଧାର ଆର୍ଥିକ ଦୃଷ୍ଟିରୁ ସମ୍ଭବପର ନଥିବାରୁ ସେଗୁଡ଼ିକୁ ସମାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ୟୁନିଟ୍ଗୁଡ଼ିକର ବକେୟା ଋଣ ପରିଶୋଧ ପାଇଁ ୩୬୧.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ଦିଆଯିବ। ଏହି ପାଣ୍ଠି ଋଣଦାତାଙ୍କର ବକେୟା ଦେୟର ଏକକାଳୀନ ସମାଧାନରେ ସହାୟତା କରିବ। ଏହି ୟୁନିଟ୍ଗୁଡ଼ିକର ଜମି (୨୬୧ ଏକର)କୁ ଇଡ୍କୋକୁ ଦିଆଯାଇ ସେଠାରେ ରୋଜଗାରଭିତ୍ତିକ ଅନ୍ୟ ଶିଳ୍ପ ପାଇଁ ଉପଲବ୍ଧ କରାଯିବ। ସେହିଭଳି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ହସ୍ତଶିଳ୍ପ ଅମଲା ସେବାର ବିଭିନ୍ନ ପଦରେ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରିତ କରିବା ପାଇଁ ‘ଓଡ଼ିଶା ହସ୍ତଶିଳ୍ପ ଅମଲା ସେବା ନିୟମାବଳୀ,୨୦୨୬’କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।
କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ- ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ୍ ଅଧିନିୟମ, ୨୦୨୫’କୁ ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ କରିବା ପାଇଁ ‘ବିକଶିତ ଭାରତ-ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିସନ୍ (ଗ୍ରାମୀଣ) ଯୋଜନା, ଓଡ଼ିଶା’କୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି। ଏହି ଯୋଜନାରେ ପ୍ରତିଟି ଯୋଗ୍ୟ ପରିବାରକୁ ଏକ ଆର୍ଥିକ ବର୍ଷରେ ୧୨୫ ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରାଯିବ। ଏହା ଆସନ୍ତା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ।
