ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କରିଶ୍ମା କପୁର ତାଙ୍କର ଏକ୍ସ ହଜବ୍ୟାଣ୍ଡ ସଞ୍ଜୟ କପୁରଙ୍କ ଦେହାନ୍ତକୁ ଗୋଟିଏ ବର୍ଷ ହୋଇଗଲାଣି । ଏହାରି ମଧ୍ୟରେ ସ୍ବାମୀଙ୍କୁ ମନେପକାଇ କରିଶ୍ମା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ପୋଷ୍ଟ ମାଧ୍ୟମରେ ପୂର୍ବତନ ସ୍ବାମୀ ସଞ୍ଜୟ କପୁରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଭିନେତ୍ରୀ ତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି । ପୋଷ୍ଟ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ସଞ୍ଜୟ ତୁମେ ସବୁବେଳେ ମୋ ହୃଦୟରେ ରହିବ । ଏଥିସହିତ ସେ ସେହି ତାରିଖକୁ ଉଲ୍ଲେଖ କରିଛନ୍ତି ଏବଂ ଯେଉଁଦିନ ତାଙ୍କ ପିଲାମାନେ ସେମାନଙ୍କ ପିତାଙ୍କୁ ହରାଇଥିଲେ ବୋଲି ଲେଖିଛନ୍ତି । ସଞ୍ଜୟ କପୁରଙ୍କୁ ମନେପକାଇ ହାତ ଯୋଡ଼ା ଏବଂ ଲାଲ୍ ହାର୍ଟ ଇମୋଜି ଦେଇ ନିଜର ଭାବପ୍ରବଣତାକୁ ପ୍ରକାଶ କରିଛନ୍ତି ।
ଏହା ବ୍ୟତୀତ ସଞ୍ଜୟଙ୍କ ୩ୟ ପତ୍ନୀ ପ୍ରିୟା ସଚଦେବ କପୁର ମଧ୍ୟ ସ୍ବାମୀଙ୍କୁ ମନେପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ତୁମେ ଯିବାର ଗୋଟିଏ ବର୍ଷ ବିତି ଗଲାଣି । ତଥାପି ତୁମର ଉପସ୍ଥିତି ଆମକୁ ପ୍ରତିଦିନ ମାର୍ଗଦର୍ଶନ କରେ। ତୁମେ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ଏବଂ ବଡ଼ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେଇଛ । ତେଣୁ ତୁମେ ସବୁବେଳେ ଲୋକଙ୍କ ହୃଦୟରେ ରହିବ । ତୁମ ଭଲପାଇବା ସବୁବେଳ ପାଇଁ ମନେ ରହିବ। ତୁମର ଭଲପାଇବା ଆମର ଶକ୍ତି ଓ ତୁମର ସ୍ମୃତି ଆମ ପାଇଁ ଆଶୀର୍ବାଦ ।
୧୨ ଜୁନ୍ ୨୦୨୫ ରେ ସଞ୍ଜୟ କପୁରଙ୍କ ଦେହାନ୍ତ ହୋଇଥିଲା । ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ ତାଙ୍କର ଜୀବନ ଚାଲିଯାଇଥିଲା । ୫୩ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

