ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଭାରତୀୟ ୱିକେଟକିପର ବ୍ୟାଟର ଈଶାନ କିଶନ ତୃତୀୟ ଟି-୨୦ ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ମ୍ୟାଚ୍ ସମୟରେ ତାଙ୍କ ଡାହାଣ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଧ୍ୟ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଥଲା ।
ବିସିସିଆଇ ପକ୍ଷରୁ ଈଶାନଙ୍କ ଫିଟନେସକୁ ନେଇ ସୂଚନା ଦିଆଯାଇଛି । ସେ ଆଘାତରୁ ଶୀଘ୍ର ସୁସ୍ଥ ହେଉଥିଲେ ମଧ୍ୟ ମ୍ୟାଚ୍ ଖେଳିବା ପାଇଁ ଏଯାଏଁ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି । ତେଣୁ ଅକ୍ଟୋବର ୨୭ ତାରିଖରେ ୱେଲିଂଟନରେ ହେବାକୁ ଥିବା ତୃତୀୟ ଟି-୨୦ରୁ ତାଙ୍କୁ ବାଦ୍ ଦିଆଯାଇଛି । ବିସିସିଆଇର ମେଡିକାଲ୍ ଟିମ୍ ତାଙ୍କ ସୁସ୍ଥ ହେବା ପ୍ରକ୍ରିୟା ଉପରେ ନଜର ରଖିଛି ।
ଈଶାନ କିଶନଙ୍କ ଅନୁପସ୍ଥିତିରେ ତୃତୀୟ ଟି-୨୦ ମ୍ୟାଚ୍ରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣିଥରେ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଦ୍ୱିତୀୟ ଟି-୨୦ରେ ଈଶାନଙ୍କ ସ୍ଥାନରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ବୈଭବ । ତେବେ ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ ।
ଈଶାନ ତୃତୀୟ ମ୍ୟାଚରେ ମଧ୍ୟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହେବା ପରେ ବୈଭବଙ୍କୁ ପୁଣି ସୁଯୋଗ ମିଳିବା ନେଇ ଆଶା ବଢ଼ିଛି । ତେବେ ତାଙ୍କ ସହ କୁମାର କୁଶାଗ୍ର ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଦୌଡ଼ରେ ଅଛନ୍ତି । ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ମଧ୍ୟ କୁମାର କୁଶାଗ୍ର ଭାରତୀୟ ଦଳରେ ରହିବେ ।
ଏବେ ଈଶାନଙ୍କ ଅନୁପସ୍ଥିତିରେ ବୈଭବ ସୂର୍ଯ୍ୟବଂଶୀ ଓ କୁମାର କୁଶାଗ୍ରଙ୍କ ମଧ୍ୟରୁ କାହାକୁ ପ୍ଲେଇଂ ଏକାଦଶରେ ସ୍ଥାନ ମିଳୁଛି, ତାହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।

