ଅମାନିଆ ଓ ବିଶୃଙ୍ଖଳିତଙ୍କୁ ସାବାଡ୍ କରିବାକୁ ରେଳ ନିୟମକୁ କଡ଼ାକଡ଼ି ଅନୁପାଳନ କରୁଛି ପୂର୍ବତଟ ରେଲୱେ । ସଂଶୋଧିତ ଜନ ବିଶ୍ୱାସ ଆଇନ, ୨୦୨୬ ଲାଗୁ ହେବା ପରେ ମାତ୍ର ୪ ମାସରେ ୧ କୋଟିରୁ ଅଧିକ ଜରିମାନା ଆଦାୟ କରାଯାଇଛି । ଚଳିତ ବର୍ଷ ଜୁନ୍ ୨୦ ଠାରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୯,୩୮୮ ବ୍ୟକ୍ତିଙ୍କୁ ଏହି ଜରିମାନା ଦେବାକୁ ପଡ଼ିଛି ।
ବେଆଇନ ଭାବେ ହକର୍ ଓ ସାମଗ୍ରୀ ବିକ୍ରୟ କରିବା, ରେଲୱେ ପରିସରରେ ଅନଧିକୃତ ପ୍ରବେଶ ଓ ରହିବା, ରେଳ କର୍ମଚାରୀଙ୍କ ଆଇନସମ୍ମତ ନିର୍ଦ୍ଦେଶ ଅବମାନନା କରିବା, ଅନ୍ୟ ବ୍ୟକ୍ତିଙ୍କ ନାମରେ ବୁକ୍ ହୋଇଥିବା ଟିକେଟ୍ରେ ଯାତ୍ରା କରିବା ଏବଂ ମହିଳାଙ୍କ ପାଇଁ ସଂରକ୍ଷିତ ସ୍ଥାନରେ ପ୍ରବେଶ କରିବା ଭଳି ବିଭିନ୍ନ ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉଛି ।
ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଲୱେ ଅଧିନିୟମ, ୧୯୮୯ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି । ତଦ୍ଦନୁଯାୟୀ ଜରିମାନା ପ୍ରାୟ ଦୁଇ ଗୁଣା ବୃଦ୍ଧି କରାଯାଇଛି । ସଂଶୋଧିତ ଦଣ୍ଡବିଧାନ ବ୍ୟବସ୍ଥା ୨୦୨୬, ଜୁନ୍ ୨୦ ଠାରୁ ଲାଗୁ ହୋଇଥିବା ବେଳେ ପୂର୍ବତଟ ରେଲୱେ ମୋଟ ୧,୦୦,୬୮,୧୨୫ ଟଙ୍କା ଜରିମାନା ଆଦାୟ କରିଛି ।
ସର୍ବାଧିକ ୧୪,୯୯୨ ଜଣଙ୍କୁ ଯାତ୍ରୀ ଅଞ୍ଚଳରେ ଅନଧିକୃତ ପ୍ରବେଶ, ରେଲୱେ ପରିସରର ଅପବ୍ୟବହାର ଏବଂ ପରିସର ଛାଡ଼ିବାକୁ ମନା କରିବା ଅଭିଯୋଗରେ ୭୫,୦୫,୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିଛି । ସେହିପରି, ବେଆଇନ ଭାବେ ହକର କରିବା, ସାମଗ୍ରୀ ବିକ୍ରୟ କରିବା କିମ୍ବା ଗ୍ରାହକ ଆକୃଷ୍ଟ କରିବା ଅଭିଯୋଗରେ ୧୬୯ ଙ୍କଠାରୁ ୩,୨୭,୫୦୦ ଟଙ୍କା ଜାରିମାନା ଆଦାୟ ହୋଇଛି ।
ରେଲୱେ ପରିସରରେ ଯାନବାହନ ଚାଳକ ଓ ପରିଚାଳକମାନେ ଯୁକ୍ତିସଙ୍ଗତ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ୪,୧୧୭ ଜଣଙ୍କ ବିରୋଧରେ ପଦକ୍ଷେପ ନିଆଯାଇ ୨୦,୫୮,୨୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଏହାବ୍ୟତୀତ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ କମ୍ପାର୍ଟମେଣ୍ଟ, ବର୍ଥ, ସିଟ୍ କିମ୍ବା ଅନ୍ୟ ସ୍ଥାନରେ ବେଆଇନ ଭାବେ ପ୍ରବେଶ କିମ୍ବା ରହିବା ଅଭିଯାଗରେ ୧୩ ଜଣ ୩୧,୫୦୦ ଟଙ୍କା ଜରିମାନା ଦେଇଛନ୍ତି ।
ଅନ୍ୟ ବ୍ୟକ୍ତିଙ୍କ ନାମରେ ବୁକ୍ ହୋଇଥିବା ଟିକେଟ୍ରେ ବିନା ଅନୁମତିରେ ଯାତ୍ରା କରି ୬ ଜଣଙ୍କୁ ୩,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିଛି । ସେହିପରି ରେଲୱେକୁ ଠକିବା ଉଦ୍ଦେଶ୍ୟରେ ବୈଧ ଟିକେଟ୍ କିମ୍ବା ପାସ୍ ବିନା ଯାତ୍ରା କରିବା କିମ୍ବା ଏନେଇ ଉଦ୍ୟମ କରିବା ଅଭିଯୋଗରେ ୫,୩୨୫ ଟଙ୍କା ଜରିମାନା ଆଦାୟ ହୋଇଛି । ଏଥିସହ ଅନ୍ୟ ଯାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା, କମ୍ପାର୍ଟମେଣ୍ଟରେ ଧୂମ୍ରପାନ କରିବା ନେଇ ୨୮ଟି ମାମଲାରେ ୫୪,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।
