ଭାରତକୁ ୪-୦ରେ କ୍ଲିନସୁଇପ କଲା ଇଂଲଣ୍ଡ

0
SHARES
7
VIEWS

ସାଉଥହ୍ୟାମ୍ପଟନରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଇଂଲଣ୍ଡ ଦଳ ଭାରତକୁ ୫୬ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲିଶ ଦଳ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୪-୦ରେ ନିଜ ନାମରେ କରିନେଇଛି। କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି, ଯେଉଁଠି ୩ରୁ ଅଧିକ ମ୍ୟାଚର କୌଣସି ଦ୍ୱିପାକ୍ଷିକ ସିରିଜରେ ଭାରତ ଗୋଟିଏ ହେଲେ ବି ମ୍ୟାଚ୍ ଜିତିବାରେ ସଫଳ ହୋଇନାହିଁ। ଭାରତ କେବଳ କ୍ଲିନ ସୁଇପ ପରାଜୟ ଭୋଗିନି ବରଂ ଟି-୨୦ ମାନ୍ୟତାରେ ଏକ ନମ୍ବର ସ୍ଥାନ ହରାଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ କୋସ ବଟଲରଙ୍କ ୧୩୧ ରନ ଓ ଅଧିନାୟକ ହ୍ୟାରୀ ବ୍ରୁକଙ୍କ ୯୫ ରନ ଇନିଂସ ରେକର୍ଡ ଭାଗିଦାରୀ ବଳରେ ୨୫୭ ରନ କରିଥିଲା। ଜବାବରେ ଭାରତ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା।

ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଇଂଲଣ୍ଡ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଇଂଲଣ୍ଡ ଦଳ ମାତ୍ର ୩ଟି ୱିକେଟ ହରାଇ ୨୫୭ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା।

ବଟଲର ଓ ବ୍ରୁକ୍ଙ୍କ ଝଡ଼

ଇଂଲଣ୍ଡ ପକ୍ଷରୁ ଓପନର ଜୋସ୍ ବଟଲର ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ମାତ୍ର ୬୪ ବଲରେ ୧୩୧ ରନର ଏକ ଧୂଆଁଧାର ଶତକୀୟ ପାଳି ଖେଳିଥିଲେ, ଯେଉଁଥିରେ ୧୨ଟି ଚୌକା ଓ ୮ଟି ଛକା ସାମିଲ ଥିଲା। ସେହିପରି ଅଧିନାୟକ ହ୍ୟାରୀ ବ୍ରୁକ୍ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୫ ବଲରେ ୯୫ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିଲ୍ ସାଲ୍ଟ (୬), ୱିଲ୍ ଜାକ୍ସ (୭) ରନ କରିଥିବା ବେଳେ ଜେକବ୍ ବେଥେଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତେବେ ବ୍ରୁକ ଓ ବଟଲର ୨୩୩ ରନର ରେକର୍ଡ ଭାଗିଦାରୀ କରିଥିଲେ।

ଫେଲ୍ ମାରିଲା ଭାରତୀୟ ବ୍ୟାଟିଂ ଲାଇନ୍-ଅପ୍

୨୫୮ ରନର ଏକ ପାହାଡ଼ ସଦୃଶ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ରହିଥିଲା। ଦଳୀୟ ସ୍କୋର ମାତ୍ର ୨୧ ରନ ଥିବା ବେଳେ ଓପନର ଅଭିଷେକ ଶର୍ମା (୩) ଆଉଟ୍ ହୋଇ ପଭିଲିୟନ ଫେରିଥିଲେ। ଏହାପରେ ସଞ୍ଜୁ ସାମସନ ୧୪ ବଲରେ ୨୭ ରନ କରି ଆଉଟ୍ ହୋଇଥିଲେ।

ତୃତୀୟ ୱିକେଟ ପାଇଁ ଈଶାନ କିଷାନ ଏବଂ ଶ୍ରେୟସ ଆୟର ୩୦ ବଲରେ ୫୫ ରନର ଭାଗିଦାରୀ କରି ଦଳକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଆୟର ୧୬ ବଲରେ ୨୮ ରନ କରି ଆଉଟ୍ ହେବା ପରେ ଭାରତର ୱିକେଟ ପତନ ପ୍ରକ୍ରିୟା ଜାରି ରହିଥିଲା। ମଧ୍ୟକ୍ରମରେ ଈଶାନ କିଷାନ (୩୫ ବଲରେ ୫୬ ରନ) ଏବଂ ତିଲକ ବର୍ମା (୨୫ ବଲରେ ୫୩ ରନ) ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଦଳକୁ ଜିତାଇବା ପାଇଁ ତାହା ଯଥେଷ୍ଟ ନଥିଲା।

ବାକି ବ୍ୟାଟରଙ୍କ ମଧ୍ୟରେ ଶିବମ ଦୁବେ ୧୪, ଶେଡଗେ ୭, ଅକ୍ଷର ପଟେଲ ୩, ଅର୍ଶଦୀପ ସିଂହ ୪ ଏବଂ ପ୍ରସିଦ୍ଧ କ୍ରିଷ୍ଣା ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ନିର୍ଦ୍ଧାରିତ ୨୦ ଓଭର ଶେଷ ସୁଦ୍ଧା ଭାରତ ୮ ୱିକେଟ ହରାଇ ମାତ୍ର ୨୦୧ ରନ ହିଁ କରିପାରିଥିଲା। ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୫୬ ରନରେ ଜିତିବା ସହ ସିରିଜକୁ ୪-୦ରେ କ୍ଲିନ୍ ସୁଇପ୍ କରିଛି।

Leave a Reply

Your email address will not be published. Required fields are marked *

I agree to the Terms & Conditions and Privacy Policy.