ଆଇପିଏଲ ୨୦୨୭ ସଂସ୍କରଣ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିଏ ନିଜର ସପୋର୍ଟ ଷ୍ଟାଫଙ୍କୁ ବଦଳାଉଛି ତ ଆଉ କିଏ କୋଚଙ୍କ ସ୍ଥାନ ବଦଳାଉଛି । ଏହି ଅବସରରେ ୫ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ପରିବର୍ତ୍ତନ କରିଛି । ଜଣେ ପୂର୍ବତନ ମହାନ ଖେଳାଳି ଯାହାଙ୍କ ସମ୍ପର୍କ ୧୫ ବର୍ଷ ଧରି ଏହି ଫ୍ରାଞ୍ଚାଇଜ୍ ସହ ଥିଲା ତାଙ୍କ ସହ ସମ୍ପର୍କରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ।
ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର କ୍ରିକେଟର ମାଇକ୍ ହସିଙ୍କ ସିଏସକେ ସହ ୧୫ ବର୍ଷର ସମ୍ପର୍କ ରହିଛି । ସେ ପ୍ରଥମେ ୨୦୦୮ ମସିହାରେ ଜଣେ ଖିଲାଳୀ ଭାବେ ଏହି ଫ୍ରାଞ୍ଚାଇଜ୍ ସହ ଯୋଡ଼ି ହୋଇଥିଲେ । ଦଳ ପାଇଁ ଖେଳାଳି ଭାବେ ୬ ବର୍ଷ ବିତାଇବା ପରେ, ସେ ୨୦୧୮ ମସିହାରୁ ଦଳର ବ୍ୟାଟିଂ କୋଚ୍ ଦାୟିତ୍ୱ ଗ୍ରହଣ କରିଥିଲେ। ଷ୍ଟିଫେନ୍ ଫ୍ଲେମିଂଙ୍କ ସହ ମିଶି ସେ ଦୀର୍ଘ ୮ ବର୍ଷ ଧରି ବ୍ୟାଟିଂ କୋଚ୍ ଭାବେ ସଫଳତାର ସହ କାମ କରିଆସୁଥିଲେ। ମାତ୍ର ଏବେ କୋଚିଂ ଷ୍ଟାଫଙ୍କ ବଡ଼ ଅଦଳବଦଳ କରିଛି ଦଳ ।
ଆଇପିଏଲ୍ ୨୦୨୭ କୁ ଦୃଷ୍ଟିରେ ରଖି CSK ଫ୍ରାଞ୍ଚାଇଜ୍ ସପୋର୍ଟ ଷ୍ଟାଫଙ୍କ ପୁନର୍ଗଠନ କରୁଛି । ଏହି ପରିବର୍ତ୍ତନ କ୍ରମରେ ପୂର୍ବରୁ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନରେ ଜାହିର ଖାନଙ୍କୁ ମୁଖ୍ୟ କୋଚ୍ ଏବଂ ଏରିକ୍ ସିମନ୍ସଙ୍କ ସ୍ଥାନରେ ମୋହିତ ଶର୍ମାଙ୍କୁ ବୋଲିଂ କୋଚ୍ ଭାବେ ଦାୟିତ୍ୱ ଦିଆଯାଇସାରିଛି । ବର୍ତ୍ତମାନ ମାଇକ୍ ହସିଙ୍କୁ ମଧ୍ୟ ଦଳରୁ ଅଲଗା କରାଯାଇଛି ଏବଂ ଫ୍ରାଞ୍ଚାଇଜ୍ ପକ୍ଷରୁ ଏହି ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଔପଚାରିକ ଭାବେ ଅବଗତ କରାଯାଇଥିବା ସୂଚନା ମିଳିଛି । ତେବେ ଏବେ ସେ ଅନ୍ୟ ଫ୍ରାଞ୍ଚାଇଜ ସହ କଥା ହେଉଥିବା ମଧ୍ୟ କୁହାଯାଉଛି ।
