ସାଉଦି ଆରବରେ ଡ୍ରୋନ୍ ଆକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ଦମ୍ମାମର କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ବିମାନବନ୍ଦରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦରକୁ ଆସୁଥିବା କିଛି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ସୂଚନାନୁଯାୟୀ, ସାଉଦି ଆରବର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗୁରୁବାର ସକାଳେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଦମ୍ମାମସ୍ଥିତ କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା। ଏହା ପରେ ବିମାନବନ୍ଦରରେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ସେବା Flightradar24 ଅନୁଯାୟୀ, ବିମାନବନ୍ଦରକୁ ଆସୁଥିବା କିଛି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି, ସେନେଇ ସାଉଦି କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଇରାନ ସମର୍ଥିତ ହୁଥିମାନେ ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ ମଧ୍ୟ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଏହା ପୂର୍ବରୁ ସାଉଦି ଆରବର ବିଭିନ୍ନ ପ୍ରମୁଖ ବିମାନବନ୍ଦରକୁ ହୁଥି ବିଦ୍ରୋହୀମାନେ ଟାର୍ଗେଟ କରିଥିବା ଅଭିଯୋଗ ରହିଛି ।
ଅନ୍ୟପଟେ, ସାଉଦି ଆରବର ପୂର୍ବାଞ୍ଚଳରେ ଚାରୋଟି ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଥିବା ଦାବି କରିଛି ସାଉଦି ମିଳିତ ବାହିନୀ । ଏହା ସହ ଦେଶର ଏକ ତୈଳ କ୍ଷେତ୍ରରେ ଡ୍ରୋନ୍କୁ ଗୁଳି କରି ଖସାଇ ଦିଆଯିବା ପରେ ଏହାର ଭଗ୍ନାବଶେଷ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।
ସାଉଦି ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ନେପାଳ ଓ ଫିଲିପାଇନ୍ସର ନାଗରିକ ରହିଛନ୍ତି । ଆହତଙ୍କ ମଧ୍ୟରେ ପାକିସ୍ତାନ ଓ ଭାରତର ନାଗରିକ ଅଛନ୍ତି । ଏହା ସହ ଚଳିତ ମାସ ଆରମ୍ଭରେ ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ଆରାମକୋର ଏକ ପ୍ରଶାସନିକ କୋଠାରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ଶକ୍ତି ମନ୍ତ୍ରଣାଳୟ ସୂଚନା ଦେଇଥିଲା ।

