ସଂଚାର ବ୍ୟୁରୋ: ଦୁଇ ଆଦିବାସୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଯାତନା ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ତଳନାଗୀ ସରକାରୀ ଉଚ୍ଚ ବିଦ୍ୟାଳୟରେ । ତଳନାଗୀ ହଷ୍ଟେଲରେ ରହି ପାଠ ପଢୁଥିବା ଦୁଇ ଛାତ୍ରୀ ଗଣେଶ ପୂଜା ଛୁଟିରେ ଘରକୁ ଯାଇଥିଲେ । ଘରୁ ଫେରିବା ପରେ ସେମାନଙ୍କୁ ଏକ ଧଳା କାଗଜରେ କିଛି ଲେଖିବା ପାଇଁ କହିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ବସ୍ତିଆ ।
ହେଲେ ଛାତ୍ରୀ ଦୁଇଜଣ ନଲେଖିବାକୁ ତାଙ୍କୁ ହଷ୍ଟେଲରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀଙ୍କ ପରିବାର ଲୋକେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପ୍ରଧାନ ଶିକ୍ଷୟିତ୍ରୀ ଜଣକ ପ୍ରତିଦିନ ସ୍କୁଲ ନଆସିବା, ସ୍କୁଲ ଛୁଟି ହେବ ପୂର୍ବରୁ ସ୍କୁଲରୁ ଚାଲିଯିବା ଆଦି ବିଭିନ୍ନ ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ତୁରନ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।