ସଂଚାର ବ୍ୟୁରୋ: ଶରୀରରେ ଖରାପ ମେଦ ବଢିଲେ ହୋଇପାରେ ଭୁଲାରୋଗ ବା ଡିମେନ୍ସିଆ । ଅଧିକ ଦିନ ଡିମେନ୍ସିଆରେ ପୀଡ଼ିତ ରୋଗୀ ହୋଇପାରନ୍ତି ମସ୍ତିଷ୍କ ପକ୍ଷାଘାତ ଓ ହୃଦଘାତର ଶିକାର । ଏମିତିକି ଯାଇପାରେ ଜୀବନ। ଗବେଷଣାରୁ ଜଣାପଡ଼ିଛି ଯେ, ବିଶ୍ବରେ ଏଭଳି ରୋଗୀଙ୍କ ସଂଖ୍ୟା ପ୍ରାୟ ୬ କୋଟି ଅଛନ୍ତି । ଆମ ଦେଶରେ ୩ରୁ ୪ କୋଟି ଲୋକ ଏହି ରୋଗରେ ପୀଡ଼ିତ । ଅନିୟମିତ ଖାଦ୍ୟ, ଲାଇଫଷ୍ଟାଇଲ୍, ଅନିଦ୍ରାପଣ ଯୋଗୁ ବଢୁଛି ଲୋ-ଡେନ୍ସିଟି ଲିପୋପ୍ରୋଟିନ୍ ବା ଖରାପ ଚର୍ବି ।
ଭୁଲାରୋଗର କାରଣ ହୋଇପାରେ ଖରାପ ଚର୍ବି । ଶରୀରରେ ଖରାପ ମେଦ ବହୁଳ ହେଲେ ୪୦ ବର୍ଷ ପରେ ସୃଷ୍ଟଇ କରୁଛି ଭୁଲା ରୋଗ ବା ଡିମେନ୍ସିଆ। ବିଶ୍ବରେ ଏହି ରୋଗର ଶିକାର ହେଲେଣି ପ୍ରାୟ ୬ କୋଟି ଲୋକ । ଲାନ୍ସେଟ୍ କମିସନଙ୍କ ପକ୍ଷରୁ ପ୍ରକାଶ ପାଇଛି ଗବେଷଣାତ୍ମକ ତଥ୍ୟ। ଲୋ-ଡେନ୍ସିଟି ଲିପୋପ୍ରୋଟିନ୍ ବା ଏଲ୍ଡିଏଲ୍ ହେଉଛି ଖରାପ ଚର୍ବି । ଅନିୟମିତ ଖାଦ୍ୟ ସହିତ ଅତ୍ୟଧିକ ମୋଟାପଣ, ଅନିଦ୍ରା ରହିବା ରୋଗର ମୂଳ କାରଣ । ଏହାସହିତ ଏଲ୍ଡିଏଲ୍ ବୃଦ୍ଧି ପାଇଁ ଦାୟୀ ମଦ, ସିଗାରେଟ, ଫାଷ୍ଟ୍ଫୁଡ୍, ବେକେରି ଖାଦ୍ୟ, ଲହୁଣିଜାତ ଦ୍ରବ୍ୟ, ଲାଲ୍ ମାଂସ, ଅଧିକ ତେଲ ମସଲା ଖାଦ୍ୟ ଖାଇଲେ ଡିମେନସିଆର ଶିକାର ହୋଇପାରନ୍ତି ବ୍ୟକ୍ତି। ଅଧିକ ଦିନ ଡିମେନ୍ସିଆ ରୋଗୀ ମସ୍ତିଷ୍କ ପକ୍ଷାଘାତ ସହିତ ହୃଦଘାତରେ ଶିକାର ହେବାର ସମ୍ଭାବନା ରହିଛି। ଡାକ୍ତରଙ୍କ ମତରେ, ଏହାର ନିରାକରଣ ପାଇଁ ସେପରି କୌଣସି ଔଷଧ ନାହିଁ । କେବଳ ଆମେରିକାରେ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଯାହାକି ଏ ପର୍ଯ୍ୟନ୍ତ ସବୁ ଦେଶରେ ଉପଲବ୍ଧ ହୋଇନାହିଁ । କେବଳ ଶାରିରୀକ ପରିଶ୍ରମ, ସନ୍ତୁଳିତ ଖାଦ୍ୟ, ସତେଜ ପବନ, ଉପଯୁକ୍ତ ଶିକ୍ଷା ଓ ସଚେତନ ହେଲେ ଏହି ରୋଗରୁ ମିଳିପାରିବ ମୁକ୍ତି। ସେହିପରି ଅଧିକ ସମୟ ଧରି ମୋବାଇଲ, କମ୍ପ୍ୟୁଟର ବ୍ୟବହାର କରିବା ସହିତ ଏକୁଟିଆପଣ ବି ବଢାଇଥାଏ ମେଦ ବହୁଳତା।
ଶରୀର ସୁସ୍ଥ ରହିବା ପାଇଁ ଚର୍ବିର ଆବଶ୍ୟକତା ରହିଛି । ଖାଦ୍ୟରୁ ଦୁଇ ପ୍ରକାର ଚର୍ବି ସୃଷ୍ଟି ହୋଇଥାଏ । ଗୋଟିଏ ଖରାପ ଚର୍ବି ବା ଏଲ୍ଡିଏଲ୍। ଅନ୍ୟଟି ଭଲ ଚର୍ବି ହାଇଡେନ୍ସିଟି ଲିପୋପ୍ରୋଟିନ୍ ବା ଏଚ୍ଡିଏଲ୍ । ଶରୀରରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଚାରିପଟେ ସୁରକ୍ଷା ପାଇଁ ଏଚ୍ଡିଏଲ୍ ଘେରି ରହିଥାଏ । ଏଲ୍ଡିଏଲ୍ ବଢ଼ିଲେ ଅଙ୍ଗପ୍ରତ୍ୟଙ୍ଗରୁ ମସ୍ତିଷ୍କ ସେଲ୍ ସହିତ ସୂଚନା ଆଦାନ ପ୍ରଦାନ ହୋଇପାରେ ନାହିଁ । ଫଳରେ ଲୋକଟି ଡିମେନ୍ସିଆ ରୋଗରେ ପୀଡ଼ିତ ହୁଏ । ଡାଏଟିସିଆନଙ୍କ ମତରେ ସୁସ୍ଥ ମଣିଷ ପାଇଁ ରକ୍ତରେ ଏଲ୍ଡିଏଲ୍ ସ୍ତର ୧୦୦ ତଳକୁ ରହିବା ଆବଶ୍ୟକ । ଅଣ୍ଡା କେଶର, ଲାଲ୍ ମାଂସ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍ କଲିଜା, କରାଟ, ମଇଦା ଖାଇବା ଯୋଗୁ ଏଲ୍ଡିଏଲ୍ ସ୍ତର ବଢିଥାଏ । ଅନ୍ୟପଟେ ଏଚ୍ଡିଏଲ୍ ସ୍ତର ବଢାଇବାକୁ ହେଲେ ଓ୍ବାଲ୍ନଟ୍, ଆଖ୍ରୋଟ, ମାଣ୍ଡିଆ, ମଞ୍ଜି ଜାତୀୟ ଖାଦ୍ୟ ଖାଇବା ଦରକାର । ଓମେଗା-୩ ଏଚ୍ଡିଏଲ୍ ସ୍ତର ବଢାଇଥାଏ । ମଧୁର ଜଳ ଅପେକ୍ଷା ସମୁଦ୍ର ମାଛରେ ଅଧିକ ମାତ୍ରାରେ ଓମେଗା-୩ ମିଳିଥାଏ । ଓଡ଼ିଶା ବଜାରରେ ଉପଲବ୍ଧ ସମୁଦ୍ର ମାଛ କୋକଲି, ମରୁଆ (ମାକାରାଲ) ମାଛରେ ଅଧିକ ମାତ୍ରାରେ ଓମେଗା ମିଳେ । ଏହାସହିତ ଟୁନା ଓ ସାଲମନ୍ ମାଛରେ ବି ପ୍ରଚୁର ପରିମାଣରେ ଏଚଡିଏଲ୍ ଥାଏ । ଗୋଟିଏ ପ୍ରକାର ଖାଇବା ତେଲ ସବୁବେଳେ ବ୍ୟବହାର ନ କରି ସୋରିଷ, ସୂର୍ଯ୍ୟମୁଖୀ, ରାଇସ୍ ବ୍ରାନ୍ ତେଲ ଭାଗ କରି ଖାଇବା ଭଲ। ଜଣେ ବ୍ୟକ୍ତି ଦିନକୁ ୧୦ ମିଲିଲିଟର ହିସାବରେ ମାସକୁ ଅଧ ଲିଟର ଖାଇବା ତେଲ ଖାଇଲେ ନିୟନ୍ତ୍ରଣରେ ରହିବ ଏଲ୍ଡିଏଲ୍ ମାତ୍ରା ।
ରିପୋର୍ଟ ଅନୁସାରେ, ୨୦୧୯ ବେଳକୁ ବିଶ୍ବରେ ଡିମେନ୍ସିଆ ରୋଗୀଙ୍କ ସଂଖ୍ୟା ୫ କୋଟି ୭୦ ଲକ୍ଷ ଥିଲା । ୨୦୫୦ ବେଳକୁ ଏହି ରୋଗୀଙ୍କ ସଂଖ୍ୟା ୧୫ କୋଟି ୩୦ ଲକ୍ଷ ହୋଇଥିବ । ସେହିପରି ଆଗାମୀ ଦିନରେ ରୋଗୀଙ୍କ ସଂଖ୍ୟା ତିନି ଗୁଣ ବଢିବାର ଆଶଙ୍କା ରହିଛି ।