ସଂଚାର ବ୍ୟୁରୋ: ବିଧାନସଭାରେ ଧସ୍ତାଧସ୍ତି । ଜମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଧାରା ୩୭୦କୁ ନେଇ ହାତାହାତି। ସରକାରୀ ଦଳ ଓ ବିରୋଧୀ ଦଳ ବିଧାୟକଙ୍କ ମଧ୍ଯରେ ତୁମୁଳ ହଟ୍ଟଗୋଳ। ଅଧିକାଂଶ ବିଧାୟକ ନିଜ ଆସନରୁ ଉଠିଆସି ଗୃହର ମଧ୍ଯଭାଗରେ ହାତାହାତି ହେବା ସହ ପରସ୍ପରକୁ ଗାଳି କରିବା ଦେଖାଯାଇଛି।
ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ଯତା ଦେବା ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଗତ ୬ ତାରିଖରେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।
ଏହି ପ୍ରସ୍ତାବ ପ୍ରତ୍ଯାହାର ନହେବା ଯାଏ ଗୃହ କାର୍ଯ୍ୟ ଚଳାଇଦିଆଯିବ ନାହିଁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ। ଏହାକୁ ନେଇ ଦୁଇ ଦିନ ଧରି ଚାଲିଛି ହଟ୍ଟଗୋଳ। ବିଗତ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଥିଲା। ଏହି ଧାରାକୁ ପୁନଃଲାଗୁ ନିମନ୍ତେ ନ୍ଯାସନାଲ କନଫରେନ୍ସ ଦାବି କରିବା ସହ ମୁଖ୍ଯ ନିର୍ବାଚନ ପ୍ରସଙ୍ଗ କରିଥିଲା।