ଆଜି ହାଇଭୋଲଟେଜ ମୁକାବିଲା । ଏସିଆ କପ୍ ରେ ଭାରତ–ପାକିସ୍ତାନ ଲଢ଼େଇ । ସେମିଫାଇନାଲ୍ ପୂର୍ବରୁ ବିଜୟ ହ୍ୟାଟ୍ରିକ୍ ଲକ୍ଷ୍ୟରେ ହରମନପ୍ରୀତଙ୍କ ଟିମ୍ । ମହିଳା ଏସିଆ କପ୍ ରେ ଆଜି ହେବ ବହୁ ପ୍ରତୀକ୍ଷିତ ଭାରତ–ପାକିସ୍ତାନ ମୁକାବିଲା । ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଜି ରାତି ୮ଟାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବେ । ସନ୍ଧ୍ୟା ୭ଟା ୩୦ ମିନିଟ୍ ରେ ଟସ୍ ପଡ଼ିବ । ଗ୍ରୁପ୍–ଏ’ରେ ଭାରତ ଏପର୍ଯ୍ୟନ୍ତ ଦମ୍ ଦାର ପ୍ରଦର୍ଶନ କରିଛି ।
ପ୍ରଥମେ ଥାଇଲାଣ୍ଡ ଏବଂ ପରେ ହଂକଂକୁ ବଡ଼ ବ୍ୟବଧାନରେ ହରାଇ ହରମନପ୍ରୀତ କୌରଙ୍କ ଦଳ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିସାରିଛି । ପାକିସ୍ତାନ ବିପକ୍ଷରେ ଜିତି ବିଜୟ ହ୍ୟାଟ୍ରିକ୍ ସହ ଗ୍ରୁପ୍ ପର୍ଯ୍ୟାୟ ଶେଷ କରିବା ଏବେ ଭାରତର ଲକ୍ଷ୍ୟ । ଅନ୍ୟପଟେ ଥାଇଲାଣ୍ଡକୁ ହରାଇଥିବା ପାକିସ୍ତାନ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିଫାଇନାଲ୍ ଆଶାକୁ ଆହୁରି ମଜଭୁତ କରିବା ପାଇଁ ଦଳ ଭାରତ ବିପକ୍ଷରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବ ।
ଭାରତ ପାଇଁ ସବୁଠୁ ବଡ଼ ଶକ୍ତି ହେଉଛନ୍ତି ଓପନର୍ ସ୍ମୃତି ମନ୍ଧାନା । ହଂକଂ ବିପକ୍ଷରେ ସେ ୬୪ ବଲ୍ ରୁ ୧୨୪ ରନ୍ ର ବିସ୍ଫୋରକ ଇନିଂସ ଖେଳି ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କ ଶତକ ବଳରେ ଭାରତ ୧୯୩ ରନ୍ କରିବା ସହ ହଂକଂକୁ ୧୩୭ ରନ୍ ର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା । ସ୍ମୃତିଙ୍କ ସହ ଶେଫାଳି ବର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତକୁ ଭଲ ଆରମ୍ଭ ଦେଇପାରେ । ମଧ୍ୟକ୍ରମରେ ଅଧିନାୟିକା ହରମନପ୍ରୀତ କୌର, ରିଚା ଘୋଷ ଓ ପ୍ରତୀକା ରାୱଲଙ୍କ ଉପରେ ନଜର ରହିବ । ବୋଲିଂରେ ଦୀପ୍ତି ଶର୍ମାଙ୍କ ସହ ଯୁବ ବୋଲରମାନେ ମଧ୍ୟ ଭଲ ଫର୍ମରେ ଅଛନ୍ତି ।
ଭାରତ ସେମିଫାଇନାଲ୍ ରେ ପହଞ୍ଚି ସାରିଥିଲେ ମଧ୍ୟ ଏହି ମ୍ୟାଚ୍ କୁ ହାଲୁକା ଭାବେ ନେବାକୁ ଚାହିଁବ ନାହିଁ । ନକ୍ ଆଉଟ୍ ପର୍ଯ୍ୟାୟ ପୂର୍ବରୁ ଦଳୀୟ ସମନ୍ୱୟ ପରୀକ୍ଷା କରିବା, ମଧ୍ୟକ୍ରମକୁ ଆବଶ୍ୟକ ବ୍ୟାଟିଂ ସୁଯୋଗ ଦେବା ଏବଂ ଟି–୨୦ ରଣନୀତିକୁ ଆହୁରି ଶାଣିତ କରିବା ପାଇଁ ଏହା ଭାରତ ନିମନ୍ତେ ଭଲ ସୁଯୋଗ । ଭାରତ–ପାକିସ୍ତାନ ମ୍ୟାଚ୍ ରେ ସବୁବେଳେ ଅତିରିକ୍ତ ଚାପ ଓ ଉତ୍କଣ୍ଠା ରହିଥାଏ । ତେଣୁ ଯେଉଁ ଦଳ ଚାପକୁ ଭଲ ଭାବେ ସମ୍ଭାଳିବ ଏବଂ ପାୱାରପ୍ଲେରେ ଆଧିପତ୍ୟ ବିସ୍ତାର କରିବ, ସେହି ଦଳ ପାଇଁ ବିଜୟ ସହଜ ହୋଇପାରେ ।
