ସଂଚାର ବ୍ୟୁରୋ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଜୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେତେକ ପ୍ରସ୍ତାବ ଦେଇଛନ୍ତି।
ଏହି ପ୍ରସ୍ତାବ ଗୁଡିକ ହେଲା ଓଡିଶାରେ ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା ଏବଂ ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ହିନ୍ଦି ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ରହିଛି । ଓଡିଆ ଓ ହିନ୍ଦି ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନବଦ୍ୟ ସାହିତ୍ୟିକ କୃତି ଗୁଡିକର ଅନୁବାଦ ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ହେବା ଦରକାର।
ହିନ୍ଦି ଏବଂ ଓଡିଆ ଭାଷା ଓ ସାହିତ୍ୟ ମଧ୍ୟରେ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ଓଡିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ର ସ୍ଥାପନା ହେବା ପାଇଁ ପ୍ରସ୍ତାବ ଦେଇଥିଲେ।
ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଭାଷାର ବହୁଳ ପ୍ରଚଳନ ପାଇଁ ରାଜ୍ୟ କୁ କେନ୍ଦ୍ରୀୟ ଅନୁଦାନ ଏବଂ ସ୍ୱତନ୍ତ୍ର ସହାୟତା ମିଳିବା ଆବଶ୍ୟକ। ଏହା ଫଳରେ ହିନ୍ଦୀ ଶିକ୍ଷାଦାନ ପାଇଁ ସମ୍ବଳରେ କୌଣସି ଅଭାବ ରହିବ ନାହିଁ। ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହଯୋଗ ପ୍ରଦାନ କରାଯିବା ଆବଶ୍ୟକ ରହିଛି।