ସଂଚାର ବ୍ୟୁରୋ: ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ସୋମବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୨୦ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ୬୦ହଜାର ଟଙ୍କା ଜରିମାନା, ଅନାଦେୟ ଅଧିକ ୧ବର୍ଷ ୬ମାସର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀ ଜଣକ ହେଲା ବିଶୋଇ ଥାନା ଅନ୍ତର୍ଗତ ବାଧୁନିଆ ଗ୍ରାମର ଅନନ୍ତ ଟୁଡୁ(୩୫)।
ଘଟଣାରୁ ପ୍ରକାଶ ଯେ, ଜୈନିକା ନାବାଳିକା ଜଣକ ତାଙ୍କ ଆଇ ଘରକୁ ବୁଲିବାକୁ ଆସିଥିବା ବେଳେ ଗତ ୮/୦୭/୨୦୧୭ରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ରାତିରେ ଘରେ ସେ ତାଙ୍କ ଆଇଙ୍କ ସହିତ ଘରେ ଶୋଇଥିବାବେଳେ ଅନନ୍ତ ଟୁଡୁ ଓ ତାଙ୍କ ସହଯୋଗୀ ନାରଣ ସୋରେନ ଜୋରଜବରଦସ୍ତ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲେ। ତାଙ୍କ ଆଇଙ୍କୁ ପିଟାମରା କରି ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ କାହାକୁ ନଜଣାଇବାକୁ ନାବାଳିକା ଭୁଜାଲି ଦେଖାଇ ଧମକ ଦେଇଥିଲେ। ଘଟଣା ନେଇ ଆଇ ଗ୍ରାମବାସୀଙ୍କୁ ଜଣାଇଥିବା ବେଳେ ଗ୍ରାମବାସୀ ମାନେ ଜଙ୍ଗଲ ନିକଟରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଏଥିପରେ ତହିଁ ପରଦିନ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

