ସଂଚାର ବ୍ୟୁରୋ: ଜଣେ ବୃଦ୍ଧାଙ୍କ ଦେହରେ ପାଳ ବାନ୍ଧି ନିଆଁ ଲଗାଇ ଦେଇଛନ୍ତି ଗାଁ ଲୋକେ। ତାଙ୍କୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ ହୋଇଛି। ଏଭଳି ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପୋର୍ଟି ପଡ଼ା ଗାଁରେ। ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। କିଛି ଦିନ ହେଲା ଗାଁର ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ସେହି ବୃଦ୍ଧା ମହିଳାଙ୍କୁ ଦାୟୀ କରାଯାଇଥିଲା। ଗୁରୁବାର ରାତିରେ ଗାଁଲୋକେ ଏକ ବୈଠକ କରିଥିଲେ। ସେହି ବୃଦ୍ଧାଙ୍କୁ ବୈଠକକୁ ଡାକି ସେ ହିଁ ଗୁଣି ଗାରେଡ଼ି କରୁଥିବାର ଅଭିଯୋଗ ଆଣିଥିଲେ। କିନ୍ତୁ ସେହି ମହିଳା କହିଥିଲେ, ସେ କିଛି କରି ନାହାନ୍ତି। କିନ୍ତୁ ତାଙ୍କର କିଛି କଥା ଲୋକେ ଶୁଣିନଥିଲେ ଏବଂ ଗୁଣି କରୁଥିବା କହି ତାଙ୍କ ଦେହରେ ପାଳ ବିଡ଼ା ବାନ୍ଧି ନିଆଁ ଲଗାଇ ଦେଇଥିଲେ। ମହିଳା ଜଣକ ନିଜକୁ ରକ୍ଷା କରିବାକୁ ଦୌଡ଼ି ଯାଇ ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ପୋଲିସକୁ ଫୋନ କରିଥିଲେ। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ସେହି ମହିଳାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ଵାସ୍ଥ୍ୟ ଠିକ୍ ଅଛି।