ସଂଚାର ବ୍ୟୁରୋ: ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍ ଏହା ୧୦୦ ଟଙ୍କାରେ ପହଞ୍ଚିଛି। ଦେଶରେ ବର୍ଷା ଯୋଗୁଁ ଟମାଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଦରବୃଦ୍ଧି ଘଟିଥିବା ବ୍ୟବସାୟୀମାନେ ମତ ଦେଉଥିଲେ ମଧ୍ୟ ଖାଉଟିମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଓଡ଼ିଶାକୁ ଏବେ କେବଳ ବେଙ୍ଗାଲୁରୁରୁ ଟମାଟୋ ଆସୁଛି। ସେଠାରେ ମଧ୍ୟ ବର୍ଷା ପାଇଁ ଅମଳ ପ୍ରଭାବିତ ହୋଇଛି। ଭୁବନେଶ୍ବରର ଆଇଗିଣିଆ ଏବଂ ଏକ ନମ୍ବର ମାର୍କେଟକୁ ପ୍ରତିଦିନ ପ୍ରାୟ ୧୦ ଗାଡ଼ି ଟମାଟୋ ଆସୁଛି। ବେଙ୍ଗାଲୁରୁରେ କିଣା ମୂଲ୍ୟ କେଜି ପିଛା୬୦ ଟଙ୍କା ପାଖାପାଖି ରହୁଛି।
ଏଥିସହିତ ପରିବହନ ଖର୍ଚ୍ଚ ଅଛି। ପାଇକାରୀ ବଜାରରୁ ଖୁଚୁରା ବଜାରକୁ ଏହା ଚାରି ହାତ ହୋଇ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ତେଣୁ ପ୍ରତି ପର୍ଯ୍ୟାୟରେ ୧୦ ଟଙ୍କା ଲେଖାଏଁ ରଖାଗଲେ ଦାମ ୧୦୦ ଟଙ୍କାରେ ପହଞ୍ଚି ଯାଉଛି। ଓଡ଼ିଶାକୁ ବର୍ତ୍ତମାନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ନୂଆ ଟମାଟୋ ଆସିଯିବା କଥା। କିନ୍ତୁ ବର୍ଷା ଓ ବନ୍ୟା ପାଇଁ ତାହା ଆସିପାରୁନାହିଁ। ଏଥିପାଇଁ ବଜାରରେ ଦର ଅଧିକ ରହୁଛି ବୋଲି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଆଗକୁ କାର୍ତ୍ତିକ ମାସ ଆସୁଛି। ତେଣୁ ଯଦି ନୂଆ ଟମାଟୋ ନଆସେ ତା’ହେଲେ ଦର କମିବା ସମ୍ଭାବନା ନାହିଁ ବୋଲି ସେ ମତ ଦେଇଛନ୍ତି।

