ସଂଚାର ବ୍ୟୁରୋ: ବିବାହ କରିବା କହି ମହିଳାଙ୍କୁ ଠକୁଥିବା ନକଲି ଅଫିସରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ । ବିଶେଷ କରି ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିବା ମହିଳାଙ୍କୁ ଠକେଇ କରୁଥିଲା ବିରଞ୍ଚି। ଏଥିପାଇଁ ସେ ଏକ ମାଟ୍ରିମୋନିଆଲ ୱେବସାଇଟରେ “ସେକେଣ୍ଡ ମ୍ୟାରେଜ” ନାମରେ ଏକ ପ୍ରେଫାଇଲ ତିଆରି କରିଥିଲା। ଏହି ପ୍ରୋଫାଇଲ ଜରିଆରେ ବିଭିନ୍ନ ସମୟରେ ସେ ନିଜକୁ ରେଳବାଇ ଅଧିକାରୀ, ଆୟକର ଅଧିକାରୀ ଏବଂ ଏକ୍ସସଇଜ ଓ କଷ୍ଟମ ଅଧିକାରୀ ଦର୍ଶାଉଥିଲା। ଏବଂ ଅବିବାହିତ, ଛାଡ଼ପତ୍ର ପ୍ରାପ୍ତ ଓ ବିଧବାଙ୍କୁ କରୁ ଥିଲା ଟାର୍ଗେଟ। ସେମାନଙ୍କ ଘରକୁ ନିଜେ ପ୍ରସ୍ତାବ ନେଇ ଯାଉଥିଲା ଏବଂ ବିବାହ ମଧ୍ୟ କରୁଥିଲା। ତେବେ ବିବାହ କରିବା ପରେ ସେ ମହିଳାମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରଖୁଥିଲା ଏବଂ ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ ଭିଡ଼ିଓ ଉତ୍ତୋଳନ କରୁଥିଲା। ପରେ ସେହି ଭିଡିଓ ଓ ଫଟୋକୁ ମାଧ୍ୟମ କରି ମହିଳାଙ୍କୁ ବ୍ଲାକମେଲ କରୁଥିଲା। କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଛି ବିରଞ୍ଚି। ତେବେ ବିରଞ୍ଚିଙ୍କ ନାଁରେ ରାଜ୍ୟର ୯ ଟି ଥାନାରେ କେସ ଅଛି। କେବଳ ଓଡ଼ିଶା ଭିତରେ ନୁହେଁ ବରଂ ରାଜ୍ୟ ବାହାରକୁ ଯାଇ ସେଠାକାର ମହିଳାମାନଙ୍କୁ ମଧ୍ୟ ଠକେଇ କରିଛି ବିରଞ୍ଚି। ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆଣା ଓ ଦିଲ୍ଲୀରେ ମଧ୍ୟ ବିରଞ୍ଚି ମହିଳାମାନଙ୍କୁ ଠକେଇ କରିଥିବା ଜଣା ପଡିଛି। ବିରଞ୍ଚିଠାରୁ ନକଲି ପରିଚୟ ପତ୍ର ସହିତ ଅନେକ ଆପତ୍ତିଜନକ ଫଟୋକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ। ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବିରଞ୍ଚିକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି ।