ବଙ୍ଗୋପସାଗରରେ ଆଜି ବାତ୍ୟାର ରୂପ ନେବାକୁ ଯାଉଛି ଗଭୀର ଅବପାତ । ୨୮ ତାରିଖରେ ବାପଟ୍ଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ପୂର୍ବ-କେନ୍ଦ୍ରୀୟ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି । ଗଭୀର ଅବପାତଟି ବିଶାଖାପାଟଣାରୁ ପ୍ରାୟ ୭୩୦ କିମି ପୂର୍ବ-ଦକ୍ଷିଣପୂର୍ବ, କାକିନାଡ଼ାରୁ ପ୍ରାୟ ୮୨୦ କିମି ପୂର୍ବ-ଦକ୍ଷିଣପୂର୍ବ, ମଛଲିପାଟନମରୁ ପ୍ରାୟ ୯୨୦ କିମି ଓ ବାପଟ୍ଟାଲାରୁ ୯୯୦ କିମି ପୂର୍ବ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ରହିଛି ।
ବାତ୍ୟା ‘ଅର୍ଣ୍ଣବ’ କାକିନାଡା ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶରେ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି । ବାତ୍ୟାର କେନ୍ଦ୍ର କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଉପରେ ନଜର ରହିଛି । ତେବେ ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ୍ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ସମ୍ଭାବ୍ୟ ପ୍ରଭାବିତ ଉପକୂଳ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ଆଶ୍ରୟସ୍ଥଳୀ, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି ।
ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଉପରେ ନଜର ରହିଛି । ଆନ୍ଧ୍ରପ୍ରଦେଶର କାକିନାଡା, କୋନାସୀମା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଓ କୃଷ୍ଣା ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ପବନ ଓ ଜଳବନ୍ଦୀ ସ୍ଥିତିର ଆଶଙ୍କା ରହିଛି ।
ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଜରୁରୀକାଳୀନ ସାମଗ୍ରୀ ମହଜୁଦ ଏବଂ ବିଦ୍ୟୁତ୍ ଓ ଯୋଗାଯୋଗ ସେବାର ସୁରକ୍ଷା ଭଳି ପଦକ୍ଷେପ ପ୍ରସ୍ତୁତିର ପ୍ରମୁଖ ଅଂଶ । ବାତ୍ୟାର ଗତିପଥ ବଦଳିଲେ ପ୍ରଭାବିତ ଅଞ୍ଚଳରେ ମଧ୍ୟ ପରିବର୍ତ୍ତନ ହୋଇପାରେ। IMD ପୂର୍ବାନୁମାନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ଆଜି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ଏହାପରେ ଆସନ୍ତାକାଲି ସକାଳ ବେଳକୁ ପ୍ରବଳ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ଆକଳନ ଅନୁସାରେ ୨୮ ତାରିଖ ପୂର୍ବାହ୍ନରେ ବାତ୍ୟାଟି ଅତି ପ୍ରବଳ ବାତ୍ୟା ଭାବେ ବାପଟ୍ଲାରୁ ବିଶାଖାପଟ୍ଟନମ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳ ଅତିକ୍ରମ କରିପାରେ । ଲ୍ୟାଣ୍ଡଫଲ୍ ବେଳେ ବାତ୍ୟାର କେନ୍ଦ୍ର ନିକଟରେ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
ବାପଟ୍ଲାରୁ ବିଶାଖାପଟ୍ଟନମ୍ ମଧ୍ୟରେ ଥିବା ଉପକୂଳ ଏକ ବିସ୍ତୃତ ଅଞ୍ଚଳ। ଏହା ମଧ୍ୟରେ କାକିନାଡା ଓ ମାଚ୍ଛିଲୀପଟ୍ଟନମ୍ ଭଳି ଅଞ୍ଚଳ ରହିଛି । ତେବେ IMD ଏପର୍ଯ୍ୟନ୍ତ କାକିନାଡାକୁ ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ୍ ସ୍ଥାନ ଭାବେ ଘୋଷଣା କରିନାହିଁ । ୟୁରୋପୀୟ ପାଣିପାଗ ମଡେଲ୍ ECMWFର ପୂର୍ବ ଆକଳନରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ରହିଥିଲା ।
Windyରେ ପ୍ରଦର୍ଶିତ ପୂର୍ବ ମଡେଲ୍ ଅନୁସାରେ, କାକିନାଡାରୁ ମାଚିଲୀପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟାର କେନ୍ଦ୍ର ପହଞ୍ଚିବାର ସମ୍ଭାବନା ଦେଖାଯାଇଥିଲା । ଆମେରିକୀୟ GFS ମଡେଲର ପୂର୍ବ ଆକଳନରେ ମଧ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଥିଲା । ଆଜି ଓ ଆସନ୍ତାକାଲି ବାତ୍ୟାର ଗତିପଥ ଓ ତୀବ୍ରତା ନିର୍ଦ୍ଧାରଣ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଉପକୂଳ ନିକଟତର ହେବା ସହ ଲ୍ୟାଣ୍ଡଫଲ୍ ସ୍ଥାନ ଓ ସମୟ ଅଧିକ ସ୍ପଷ୍ଟ ହୋଇପାରେ ।

