ସଂଚାର ବ୍ୟୁରୋ: ପୁଣି ଆସୁଛି ବଡ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ପ୍ରଭାବରେ ଆସନ୍ତା କାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପୂର୍ବ ବାଂଲାଦେଶ ଉପକୂଳ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୁତ ହୋଇ ଏକ ଲଘୁଚାପରେ ପରିଣତ ହେବ। ପରେ ଏହା ଧିରେଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁଇ ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଅବପାତରେ ପରିଣତ ହେବ।
ଏହାରି ପ୍ରଭାବରେ କାଲିଠାରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ। କାଲି ପ୍ରବଳ ବର୍ଷା ନେଇ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ, ମାଲକାନଗିରି,ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହିଭଳି ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ୧୪ ତାରିଖରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡକୁ ସତର୍କତା ଜାରି କରାଯାଇଛି। ଏହି ୩ଟି ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ସମ୍ବଲପୁର, ଦେବଗଡ, କୋରାପୁଟ, ନବରଙ୍ଗପୁର, ଯାଜପୁର, ବରଗଡ, ରାୟଗଡା, କଳାହାଣ୍ଡି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦କିଲୋମିଟର ବେଗରେ ବହିବ ପବନ । ଅଶାନ୍ତ ହେବ ସମୁଦ୍ର । ଏଥିପାଇଁ ଆସନ୍ତା କାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି।