ତେଲଙ୍ଗାନା ସରକାରଙ୍କ ବଡ଼ ଘୋଷଣା । ଡ୍ୟୁଟି ସମୟରେ ସହିଦ ହେଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦିଆଯିବ । ହାଇଦ୍ରାବାଦର ଗୋଶାମହଲ ପୋଲିସ ଷ୍ଟାଡିୟମରେ ଆୟୋଜିତ ପୋଲିସ ସ୍ମୃତି ଦିବସ ସମାରୋହରେ ରେଭନ୍ତ ରେଡ୍ଡୀ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏହି ଘୋଷଣା କରିଛନ୍ତି । ଏଥିସହ ୨୦୨୮ ସୁଦ୍ଧା ପୋଲିସ ବିଭାଗର ସମସ୍ତ ଖାଲି ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ହୋମଗାର୍ଡଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିକୁ ୫ ଲକ୍ଷ ଟଙ୍କାରୁ ବଢ଼ାଇ ୧୦ ଲକ୍ଷ ଟଙ୍କା କରିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି ।
ପୋଲିସ ବିଭାଗରେ ନିଯୁକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତେଲଙ୍ଗାନା ଇତିହାସରେ ୧୧୦ଟି ଡିଏସ୍ପି (DSP) ପଦବୀରେ ନିଯୁକ୍ତି ଏକ ଅଭୂତପୂର୍ବ ପଦକ୍ଷେପ । ରାଜ୍ୟରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମହିଳା ଓ ଶିଶୁଙ୍କ ସହ ଜଡ଼ିତ ମାମଲାଗୁଡ଼ିକରେ ଅଧିକ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ ସେ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନରେ ଅଯଥା ବିଳମ୍ବ ନକରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନରୁ ଦୂରେଇ ରଖିବା ପାଇଁ ପୋଲିସ ବିଭାଗ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ରେଭନ୍ତ ରେଡ୍ଡୀ କହିଛନ୍ତି ।
