ଶପଥ ନେଲେ ନୂଆ ରାଜ୍ୟପାଳ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ୍ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମନ୍ତ୍ରୀମଣ୍ଡଳର ବିଭିନ୍ନ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଯେ, ବ୍ରଜ ମୋହନ ରାମ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ବରିଷ୍ଠ ନେତା ଥିଲେ । ପୂର୍ବତନ ଲୋକସଭା ସାଂସଦ ମଧ୍ୟ ରହିଥିଲେ । ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।
ଲୋକସଭା ସାଂସଦ ହେବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହା ସହିତ ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇସାରିଛନ୍ତି। ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଜନୀତି ସହିତ କୃଷି କାର୍ଯ୍ୟ ମଧ୍ୟ ତାଙ୍କର ବୃତ୍ତି ଭାବେ ଉଲ୍ଲେଖ ରହିଛି।

