UPI ଟ୍ରାଞ୍ଜାକ୍ସନ୍ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଅକ୍ଟୋବର ୧୫ ତାରିଖରୁ ଲାଗୁ ହେବାର ଥିଲା । କିନ୍ତୁ ଆଗକୁ ଦୀପାବଳି ଥିବାରୁ ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ବ୍ୟବସାୟୀମାନେ ଲଗାତାର ସରକାରଙ୍କୁ ଦାବି କରୁଥିଲେ ।
ସୂଚନାନୁଯାୟୀ, NPCI ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ସେୟାର କରିଛି । ଏଥିରେ କୁହାଯାଇଛି ଯେ, ଚୟନିତ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ ଉପରେ MDR ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅର୍ଥାତ୍, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ ଉପରେ ୧୫ ଅକ୍ଟୋବର ୨୦୨୬ରୁ ଯେଉଁ MDR ଲାଗୁ ହେବାର ଥିଲା, ତାହାକୁ ବର୍ତ୍ତମାନ ପାଇଁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ ।
ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ୟୁପିଆଇ ମାଧ୍ୟମରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ କଲେ କିଛି ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ ଉପରେ ୦.୪ ପ୍ରତିଶତ ଚାର୍ଜ ଲାଗୁ କରିବାର ପ୍ରସ୍ତାବ ଥିଲା । ଅର୍ଥାତ୍, ଯଦି କୌଣସି ଗ୍ରାହକ ଗୋଟିଏ ଦୋକାନରୁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣନ୍ତି ଏବଂ ୟୁପିଆଇ ମାଧ୍ୟମରେ ଟଙ୍କା ପେମେଣ୍ଟ କରନ୍ତି, ତେବେ ସେହି କାରବାର ଉପରେ ଚାର୍ଜ ଲାଗୁ ହୋଇଥାନ୍ତା। କିନ୍ତୁ ଏହି ଚାର୍ଜ ଗ୍ରାହକଙ୍କୁ ନୁହେଁ, ବରଂ ଦୋକାନୀ ଅର୍ଥାତ୍ ମର୍ଚ୍ଚାଣ୍ଟଙ୍କୁ ଦେବାକୁ ପଡ଼ିଥାନ୍ତା । ହେଲେ ଏହାକୁ ଏବେ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଏହାର ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଟେଲିକମ୍, ବୀମା, ରେଳବାଇ ଏବଂ ଇନ୍ଧନ ଭଳି କେତେକ କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ୫ ଟଙ୍କାର ଏକ ନିର୍ଦ୍ଧାରିତ MDR ଚାର୍ଜ ଲାଗୁ କରିବାର ପ୍ରସ୍ତାବ ମଧ୍ୟ ରହିଥିଲା । ଏହି ଚାର୍ଜ ଗ୍ରାହକଙ୍କଠାରୁ ଆଦାୟ କରାଯାଇପାରିନଥାନ୍ତା । ଏହା ମର୍ଚ୍ଚାଣ୍ଟଙ୍କୁ ହିଁ ଦେବାକୁ ପଡ଼ିଥାନ୍ତା ।

