ଉତ୍ତର ପ୍ରଦେଶର ମୁଜଫରନଗରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ଶିଶୁକନ୍ୟା ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ବୁଢ଼ାନା କୋତୱାଲି ଅଞ୍ଚଳର ଭୈସାନା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ବଡ଼ୌତ ଡିପୋର ଏକ ରୋଡୱେଜ୍ ବସ୍ ଦୁଇଟି ବାଇକକୁ ଜୋରଦାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ମ୍ତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖବର ଅନୁସାରେ, ଦୁଇଟି ବାଇକରେ ଥିବା ଲୋକମାନେ ମୁଜଫରନଗରରୁ ବୁଢ଼ାନା ଅଭିମୁଖେ ଯାଉଥିବା ବେଳେ ବଡ଼ୌତ ଡିପୋର ରୋଡୱେଜ୍ ବସ୍ ବୁଢ଼ାନାରୁ ମୁଜଫରନଗର ଆସୁଥିଲା । ଭୈସାନା ଗାଁ ନିକଟରେ ବସ୍ଟି ଓଭରଟେକ୍ କରୁଥିବା ସମୟରେ ଦୁଇ ବାଇକ୍ ସହ ଭୟଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣାରେ ଶିଶୁକନ୍ୟା ସମେତ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ମୃତକମାନଙ୍କ ମଧ୍ୟରେ ମୋମିନ, ଫରମାନ, ଇଦ୍ରିଶ, ଶାଜିଦ ଏବଂ ପ୍ରାୟ ଅଢ଼େଇରୁ ୩ ବର୍ଷ ବୟସର ଶିଶୁକନ୍ୟା ଭଲ୍ଲୋ ଥିବା ଜଣାପଡ଼ିଛି ।
ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ପ୍ରାଥମିକ ତଦନ୍ତରୁ ଓଭରଟେକ୍ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ପୋଲିସ ରୋଡୱେଜ୍ ବସ୍କୁ ଜବତ କରିବା ସହ ମାମଲା ରୁଜୁ କରିଛି । ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି । ମୃତକଙ୍କ ପରିବାରକୁ ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇବାକୁ ଦାବି ହୋଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।
