ତାମିଲନାଡ଼ୁର ବିରୋଧୀ ଦଳ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଗିରଫ କରିଛି । ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ୬ଟି ଧାରାରେ ମାମଲା ରୁଜୁ କରିଛି ।
ଖବର ମୁତାବକ, କାବେରୀ ନଦୀ ପ୍ରସଙ୍ଗକୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ଉଦୟନୀଧି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ । ସଭା ମଧ୍ୟରୁ ତ୍ରିଷା-ତ୍ରିଷା ନାରା ଶୁଣାଯାଇଥିଲା । ଉଦୟନିଧି କିଛି ସମୟ ଚୁପ ରହିବା ପରେ ହସିଥିଲେ । ପରେ ଏକ ଦ୍ୱିଅର୍ଥବୋଧକ କଟାକ୍ଷ କରିଥିଲେ, ଯାହାକୁ ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଇଙ୍ଗିତ ବୋଲି ଧରାଯାଇଥିଲା ।
କାବେରୀ ଜଳ ବିବାଦ ସମ୍ପର୍କରେ ଷ୍ଟାଲିନ୍ ତାଞ୍ଜାଭୁରରେ ଏକ ରାଲିକୁ ସମ୍ବୋଧିକ କରିବା ସମୟରେ ଉଦୟନିଧି ଷ୍ଟାଲିନ୍ ଥଲାପତି ବିଜୟଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ । ଉଦୟନିଧି ଷ୍ଟାଲିନଙ୍କ ଭାଷଣର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।
ଗିରଫ ପରେ ଉଦୟନିଧି କହିଛନ୍ତି, ମୁଁ କିଛି ଭୁଲ୍ କରିନି । ମୁଁ କିଛି ଭୁଲ୍ କହିନି । ମୁଁ କାହା ନାମ ନେଇନି । ମୁଁ ଏହା ଉପରେ ଆଉ କିଛି ଟିପ୍ପଣୀ ଦେବାକୁ ଚାହୁଁନି । ପୋଲିସ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ ନେଇଛି ।
ତେବେ ଏନେଇ ଷ୍ଟାଲିନ ଆଗୁଆ ଜାମିନ ପାଇଁ ମାଡ୍ରାସ ହାଇକୋର୍ଟ ଯାଇଛନ୍ତି । ଏହି ମାମଲାରେ ଆଜି ଅପରାହ୍ନରେ ଶୁଣାଣି ହେବ ।

