ବଜାରରେ ଏବେ ପରିବା ଦରରେ ନିଆଁ ଲାଗିଛି । ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ପରିବା କ୍ଷେତରେ ପାଣି ଜମି ରହି ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଯାହାର ସିଧାସଳଖ ପ୍ରଭାବ ଏବେ ବଜାର ଦର ଉପରେ ପଡ଼ିଛି । ପନିପରିବା ଦର ବଢ଼ିବାରୁ ଶ୍ରାବଣରେ ସାଧାରଣ ଗ୍ରାହକ ଅସୁବିଧା ଭୋଗୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ବଜାରକୁ ଗଲେ ୫୦୦ ଟଙ୍କାରେ ବି ଗ୍ରାହକଙ୍କ ବ୍ୟାଗ ଭର୍ତ୍ତି ହେଉନାହିଁ । ଦିନକୁ ଦିନ ବଢୁଥିବା ଏହି ଦରଦାମ ସାଧାରଣ ଓ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟ୍କୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି ।
- ଛତ୍ରବଜାରରେ ଖାଉଟିକୁ ମହଙ୍ଗା ମାଡ଼
ରାଜ୍ୟର ଅନ୍ୟତମ ବୃହତ୍ ପରିବା ବଜାର କଟକର ଛତ୍ରବଜାରରେ ଏବେ ଖାଉଟିଙ୍କୁ ମହଙ୍ଗା ମାଡ଼ ବାଧିଲାଣି । ପୂର୍ବରୁ ଯେଉଁ ଦରରେ ପରିବା ମିଳୁଥିଲା, ଏବେ ତାହା ଢେର ଅଧିକ ଦରରେ ବିକ୍ରି ହେଉଛି । ସାଧାରଣତଃ ଛତ୍ରବଜାରକୁ ଆଠଗଡ଼ ଓ ବାଙ୍କୀ ଭଳି ସ୍ଥାନୀୟ ଅଞ୍ଚଳରୁ ପ୍ରଚୁର ପରିମାଣରେ ପନିପରିବା ଆସିଥାଏ । କିନ୍ତୁ ବନ୍ୟା ଯୋଗୁଁ ସେଠାରେ ଫସଲ ନଷ୍ଟ ହୋଇଯାଇଥିବାରୁ ଏବେ ସ୍ଥାନୀୟ ଅମଳ, ବଜାରକୁ ଆସିପାରୁନାହିଁ । ଫଳରେ ବାହାରୁ ଆସୁଥିବା ପରିବା ଉପରେ ନିର୍ଭର କରିବାକୁ ପଡ଼ୁଛି । ଯଦି ଆଗାମୀ ଦିନରେ ବର୍ଷା ପରିମାଣ ଆହୁରି ବଢ଼େ, ତେବେ ପରିବା ଦର ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି ।
- ଦୁଇଗୁଣା ବଢିଛି ଦର
ଅନ୍ୟପଟେ ଭୁବନେଶ୍ବରର ପରିବା ବଜାରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ପରିବା କିଛି ଦିନ ତଳେ ସାଧାରଣ ଦରରେ ମିଳୁଥିଲା, ଏବେ ତାହାର ଦର ଦୁଇଗୁଣରୁ ଅଧିକ ହୋଇଯାଇଛି । ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁସାରେ, ବନ୍ୟା ପାଣିରେ ପରିବା ଚାଷ ନଷ୍ଟ ହୋଇଥିବାରୁ ଆବଶ୍ୟକ ପରିମାଣର ପରିବା ଅମଳ ହୋଇପାରୁନାହିଁ । ତେଣୁ ଚାହିଦା ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ପରିବା ଆମଦାନୀ କରିବାକୁ ପଡ଼ୁଛି । ବାହାରୁ ପରିବା ଆସିବା କାରଣରୁ ପରିବହନ ଖର୍ଚ୍ଚ, ଲୋଡିଂ-ଅନଲୋଡିଂ ଖର୍ଚ୍ଚ ବଢ଼ୁଛି ଏବଂ ଯୋଗାଣ କମ୍ ଥିବାରୁ ଦର ଅହେତୁକ ଭାବେ ବଢ଼ି ଚାଲିଛି ।
ଆଜି ଭୁବନେଶ୍ଵର ୟୁନିଟ-୧ ବଜାରରେ ପରିବା ଦର (ପ୍ରତି କିଲୋ ପିଛା)
ବିନ-୭୦ ଟଙ୍କା
ପୋଟଳ- ୬୦ ଟଙ୍କା
କାଙ୍କଡ଼- ୬୦ ଟଙ୍କା
କଖାରୁ- ୨୫ ଟଙ୍କା
ଗାଜର- ୪୦ ଟଙ୍କା
ବିଟ- ୪୦ ଟଙ୍କା
ଟମାଟୋ-୩୦ ଟଙ୍କା
ବନ୍ଧାକୋବି- ୪୦ ଟଙ୍କା
ଅମୃତ ଭଣ୍ଡା- ୨୫ ଟଙ୍କା
ବାଇଗଣ- ୬୦ ଟଙ୍କା
ଭେଣ୍ଡି- ୫୦ ଟଙ୍କା
କଲରା- ୮୦ ଟଙ୍କା
କଟକ ଛତ୍ରବଜାରରେ ପରିବା ଦାମ (ପ୍ରତି କିଲୋ ପିଛା)
ବିନ-୧୦୦
ଭେଣ୍ଡି-୫୦
କଲରା-୬୦
ବାଇଗଣ-୫୦
ଟମାଟ-୨୫
ପୋଟଳ-୮୦
ଝୁଡଙ୍ଗ-୫୦
କାଙ୍କଡ଼-୫୦
