ଜେଲ୍ ଗଲେ ଚାମେଲି । ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଚାମେଲିଙ୍କ ନାଁରେ ମହାକାଳପଡା ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ କରୁଛି ପୋଲିସ । ତାଙ୍କୁ ଉଠାଇ ଆଣିଲା ବେଳେ ଦୁଇ ମହିଳା ପୋଲିସଙ୍କୁ ଚାମେଲି କାମୁଡି ଦେଇଥିବା ଅଭିଯୋଗ ହୋଇଥିଲା । ଚାମେଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ କିଛି ସମୟ ତଳେ ସେଠାରୁ ଅଣାଯାଇଥିଲା ।
ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ବିବାଦରେ ଫଶିଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଗୁରୁବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ୍ ବିଡିଓଙ୍କ ଚାମ୍ବରରେ ଚାମେଲି ଅଭିଯୋଗ କରିବା ସହ ଭିଡିଓ କରିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ । ବିଡିଓଙ୍କ ଫୋନ୍ ପାଇ ମହାକାଳପଡ଼ା ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା । ଏହାର ଲାଇଭ୍ ଭିଡିଓ କରି ସେ ସୂଚନା ଦେଇଥିଲେ । ତେବେ ଥାନାକୁ ନେଲା ବେଳେ ଗାଡ଼ି ଭିତରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ଚାମେଲି ଏସ୍ପିଙ୍କୁ ଲିଖିତ ଜଣାଇଛନ୍ତି । ଚାମେଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେହିପରି ଚାମେଲି ଓଝା ମଧ୍ୟ ମୁଖମନ୍ତ୍ରୀଙ୍କୁ ଘଟଣାରେ ଚିଠି ଲେଖି ଜଣାଇଛନ୍ତି ।
