ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱଦେଶୀ ୨୨୦ କେଭି ମୋବାଇଲ୍ ଗ୍ୟାସ୍ ଇନସୁଲେଟେଡ୍ ସ୍ୱିଚଗିୟର (ଏମ୍-ଜିଆଇଏସ୍) ସିଷ୍ଟମ୍ ସଫଳତାର ସହ ପ୍ରଦାନ କରିବା ପରେ, ତୋସିବା ଟ୍ରାନ୍ସମିସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ (ଟିଟିଡିଆଇ) ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପାୱାରଗ୍ରିଡ୍)କୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୧୩୨ କେଭି ଏମ୍-ଜିଆଇଏସ୍ ସିଷ୍ଟମ୍ ସଫଳତାର ସହ ପ୍ରଦାନ କରିଥିବା ଘୋଷଣା କରିଛି।
ଏହି ସଫଳତା ଟିଟିଡିଆଇର ସ୍ୱଦେଶୀ ମୋବାଇଲ୍ ହାଇ-ଭୋଲ୍ଟେଜ୍ ସମାଧାନ ପୋର୍ଟଫୋଲିଓକୁ ଆହୁରି ସମୃଦ୍ଧ କରିବା ସହ ଦେଶର ଗ୍ରିଡ୍ ଆଧୁନିକୀକରଣ, ସ୍ଥିତିସ୍ଥାପକତା ଏବଂ ଆତ୍ମନିର୍ଭର ଶକ୍ତି ଭିତ୍ତିଭୂମି ଗଠନରେ ମଧ୍ୟ ସହାୟକ ହେବ।
ଏହି ଅବସରରେ ଟିଟିଡିଆଇର ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଡିରେକ୍ଟର ଶ୍ରୀ ହିରୋଶି ଫୁରୁତା କହିଛନ୍ତି, “ପାୱାରଗ୍ରିଡକୁ ସ୍ୱଦେଶୀ ୧୩୨ କେଭି ଏମ୍-ଜିଆଇଏସ୍ ସିଷ୍ଟମ୍ ପ୍ରଦାନ କରିବା ଆମ ପାଇଁ ଗର୍ବର ବିଷୟ। ଏହା କିଛି ମାସ ପୂର୍ବରୁ ଭାରତର ପ୍ରଥମ ସ୍ୱଦେଶୀ ୨୨୦ କେଭି ଏମ୍-ଜିଆଇଏସ୍ ସିଷ୍ଟମ୍ ପ୍ରଦାନ ପରେ ଆଉ ଏକ ବଡ଼ ସଫଳତା। ଏହି କମ୍ପାକ୍ଟ ଏବଂ ସହଜରେ ପରିବହନ ଯୋଗ୍ୟ ସଲ୍ୟୁସନ୍ ଭାରତରେ ବିକଶିତ ଏବଂ ନିର୍ମିତ ହୋଇଛି, ଯାହା ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ମିଶନ୍ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”
ପାୱାରଗ୍ରିଡ୍ର ବୈଷୟିକ, ଗୁଣବତ୍ତା, ପରିଚାଳନା ଓ ସୁରକ୍ଷା ସମ୍ବନ୍ଧୀୟ ମାନଦଣ୍ଡକୁ ଧ୍ୟାନରେ ରଖି ଭାରତରେ ଥିବା ତୋସିବାର ଇଞ୍ଜିନିୟରିଂ ଓ ଉତ୍ପାଦନ କ୍ଷମତାକୁ ବ୍ୟବହାର କରି ଏହି ୧୩୨ କେଭି ଏମ୍-ଜିଆଇଏସ୍ ସିଷ୍ଟମ୍ ବିକଶିତ କରାଯାଇଛି।
ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ନିର୍ଭରଯୋଗ୍ୟ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ମିତ ଏହି ସିଷ୍ଟମ୍ରେ “କନେକ୍ଟ–ଅପରେଟ୍–ଡିସକନେକ୍ଟ–ରିଡିପ୍ଲୟ” ବ୍ୟବସ୍ଥା ରହିଛି, ଯାହା ଗ୍ରିଡ୍ର କାର୍ଯ୍ୟଦକ୍ଷତା ଓ ପରିଚାଳନାଗତ ନମନୀୟତାକୁ ବଢ଼ାଇଥାଏ। ଏହାର କମ୍ପାକ୍ଟ ଡିଜାଇନ୍ ଏବଂ ମଡ୍ୟୁଲାର୍ ଆର୍କିଟେକ୍ଚର ଯୋଗୁଁ ଏହା ଘନ ଜନବସତିପୂର୍ଣ୍ଣ ଅଞ୍ଚଳ ଏବଂ ଦ୍ରୁତ ନିୟୋଜନ ଆବଶ୍ୟକ ଥିବା ପ୍ରକଳ୍ପଗୁଡ଼ିକ ପାଇଁ ଉପଯୁକ୍ତ।
ସାଧାରଣ ପରିବହନ ଟ୍ରେଲରରେ ସହଜରେ ସ୍ଥାନ ପାଇପାରୁଥିବା ଏହି ସିଷ୍ଟମ୍ ଯାନ୍ତ୍ରିକ କମ୍ପନ ଓ ପରିବହନଜନିତ ଚାପକୁ ସହ୍ୟ କରିପାରେ। ଫଳରେ ଏହା ବିଦ୍ୟୁତ ବିତରଣ ସଂସ୍ଥା, ଅକ୍ଷୟ ଶକ୍ତି ପ୍ରକଳ୍ପ, ବିପର୍ଯ୍ୟୟ ପରିଚାଳନା ଟିମ୍ ଏବଂ ଟ୍ରାନ୍ସମିସନ୍ ଅପରେଟରମାନଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ମୋବାଇଲ୍ ପାୱାର୍ ସମାଧାନ ଭାବେ ପରିଗଣିତ ହେବ।
ଭାରତର ପ୍ରଥମ ୨୨୦ କେଭି ଏବଂ ବର୍ତ୍ତମାନ ୧୩୨ କେଭି ଏମ୍-ଜିଆଇଏସ୍ ସିଷ୍ଟମ୍ ସଫଳତାର ସହ ପ୍ରଦାନ କରିବା ପରେ, ଟିଟିଡିଆଇ ଏହାର ସ୍ୱଦେଶୀ ୪୦୦ କେଭି ଏମ୍-ଜିଆଇଏସ୍ ସିଷ୍ଟମ୍ର ଇଞ୍ଜିନିୟରିଂ କାର୍ଯ୍ୟକୁ ମଧ୍ୟ ଦ୍ରୁତ ଗତିରେ ଆଗେଇ ନେଉଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି।

