ଉତ୍ତରପ୍ରଦେଶର ଉନ୍ନାବ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦିଲ୍ଲୀରୁ ବିହାର ଯାଉଥିବା ଏକ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ପୋଲିସ ଏବଂ ଜଣେ କଏଦୀ ସାମିଲ ଥିବା କୁହାଯାଉଛି ।
ଔରସର ORS ସଞ୍ଜୀବ କୁଶୱାହ କହିଛନ୍ତି ଯେ, ଦିଲ୍ଲୀରୁ ବିହାର ଯାଉଥିବା ସମୟରେ ଏକ ବସ୍ ନିୟନ୍ତ୍ରଣ ହରାଇ ଏକ୍ସପ୍ରେସୱେରେ ଓଲଟି ପଡିଥିଲା । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର ଏବଂ ଜଣେ କଏଦୀ ଥିଲେ । ମୃତ ସବ୍-ଇନ୍ସପେକ୍ଟର ଜଣକ ହେଲେ ରାମଚନ୍ଦ୍ର, କଏଦୀ ଛତ୍ରପାଲଙ୍କ ସହିତ ବିହାରର ସିୱାନରୁ ଦିଲ୍ଲୀ ଯାତ୍ରା ସାରି ଫେରୁଥିଲେ । ଗୁରୁତର ଆହତମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର କରାଯାଇଥିଲା ।
ଅନ୍ୟପଟେ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଉନ୍ନାବ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ସଡ଼କ ଦୁର୍ଘଟଣାରେ ଜୀବନହାନି ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା । ମୁଁ ପ୍ରଭୁ ଶ୍ରୀ ରାମଙ୍କୁ ଦିବଙ୍ଗତ ଆତ୍ମାକୁ ମୁକ୍ତି, ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି ।

