ଚଳିତ ଆଇପିଏଲ୍ର ୨୪ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ ମୁମ୍ବାଇ ଅପରାଜେୟ ପଞ୍ଜାବକୁ ଭେଟିବ । ୪ଟି ମ୍ୟାଚ ଖେଳି ଗୋଟିଏ ମାତ୍ର ମ୍ୟାଚ ଜିତିଥିବା ମୁମ୍ବାଇ ଦଳ ବିଜୟ ଧାରାକୁ ଫେରିବା ପାଇଁ ତତ୍ପର ରହିଥିବାବେଳେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନଥିବା ପଞ୍ଜାବ ପାଇଁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାର ସୁଯୋଗ ରହିଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ମୁମ୍ବାଇ ପ୍ରଥମ ମ୍ୟାଚରେ କୋଲକାତାକୁ ହରାଇଥିଲା । ଏହାପରେ ଦଳ ଯଥାକ୍ରମେ ରାଜସ୍ଥାନ, ଦିଲ୍ଲୀ ଓ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇ ସାରିଛି । ଦଳରେ ବହୁ ତାରକା ଖେଳାଳତି ରହିଥିଲେ ହେଁ କୌଣସି ରଣନୀତି ଫଳପ୍ରଦ ସାବ୍ୟସ୍ତ ହୋଇ ନାହିଁ । ଯଶପ୍ରୀତ ବୁମରା ଏପର୍ଯ୍ୟନ୍ତ ଗୋଟିଏ ହେଲେ ୱିକେଟ୍ ହାସଲ କରିପାରି ନଥିବାବେଳେ ଟ୍ରେଣ୍ଟ ବୋଲ୍ଟ ବ୍ୟୟ ବହୁଳ ସାବ୍ୟସ୍ତ ହେଉଛନ୍ତି । ୪ମ୍ୟାଚ୍ ଖେଳି ସାରିଥିଲେ ହେଁ ମୁମ୍ବାଇ ଏପର୍ଯ୍ୟନ୍ତ ଉପଯୁକ୍ତ ସ୍ପିନର ଚୟନ କରିବାରେ ବିଫଳ ହୋଇଛି । ମିଚେଲ ସାଣ୍ଟନରଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବାମ ହାତି ସ୍ପିନର ମଧ୍ୟ ଉପାୟଶୂନ୍ୟ ମନେ ହେଉଛନ୍ତି । ତେଣୁ ମୁମ୍ବାଇକୁ ବିଜୟ ଧାରାକୁ ଫେରିବାକୁ ହେଲେ ଅନେକ ତ୍ରୁଟଇ ସୁଧାରିବାକୁ ପଡ଼ିବ ।
ପଞ୍ଜାବ ୪ଟି ମ୍ୟାଚ ଖେଳି ୭ ପଏଣ୍ଟ ଅର୍ଜନ କରିସାରିଛି । ସବୁ ବିଭାଗର ପ୍ରଦର୍ଶନ ଉନ୍ନତ ରହିଛି । ତଥାପି ମଧ୍ୟ କ୍ରମ ବ୍ୟାଟିଂରେ ଦୁର୍ବଳତା ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଉପରଭାଗ ବ୍ୟାଟରଙ୍କୁ ସହଳ ଆଉଟ୍ କରିପାରିଲେ ପଞ୍ଜାବକୁ ହରାଇବା ସହଜ ହେବ । ପୂର୍ବ ରେକର୍ଡ ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୪ଥର ଭେଟିଛନ୍ତି ଓ ୧୭ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ପଞ୍ଜାବ ଉଭୟ ମ୍ୟାଚ ଜିତିଥିଲା । ଏଥର ମୁମ୍ବାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଆଜି ମୁମ୍ବାଇ ଦଳରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଓପନର ରୋହିତ ଶର୍ମା ଫିଟ୍ ହୋଇ ନାହାନ୍ତି । ସେ ଖେଳି ନପାରିଲେ ଓପନିଂ ବିଭାଗରେ ବଡ଼ ପରିବର୍ତ୍ତନ ଘଟିବ । ତୃତୀୟ ଓପନର ଭାବେ କ୍ୱିଣ୍ଟନ ଡି କକ୍ ଦଳରେ ରହିଛନ୍ତି । ତାଙ୍କୁ ଖେଳାଇବାକୁ ହେଲେ ରାନ ରିକେଲଟନ, ମିଚେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ ଓ ସେରଫାନ ରଦରଫୋର୍ଡଙ୍କ ମଧ୍ୟରୁ ଜଣେ ବାଦ ପଡ଼ିଯିବେ । ହୁଏତ ବୋଲ୍ଟଙ୍କୁ ବିଶ୍ରାମ ଦେଇ ଡି କକ୍ଙ୍କୁ ଖେଳାଯାଇପାରେ । ବୋଲ୍ଟଙ୍କ ସ୍ଥାନରେ ଅଶ୍ୱନୀ କୁମାର ଏକାଦଶରେ ସ୍ଥାନ ପାଇ ପାରନ୍ତି ।
ୱାଙ୍ଖଡ଼େ ଷ୍ଟାଡ଼ିୟମ୍ର ନାଲି ମାଟି ପିଚ୍ ପାରମ୍ପରିକ ଭାବେ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ଅପରାହ୍ଣରେ ସମୁଦ୍ର କୂଳ ଆଡୁ ପବନ ବହୁଥିବାରୁ ନୂଆ ବଲ୍ ସୁଇଂ ହୋଇଥାଏ । ପ୍ରାରମ୍ଭରୁ ପେସ୍ ବୋଲରମାନେ ପିଚ୍ର ଫାଇଦା ଉଠାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ମୁମ୍ବାଇ: ରୋହିତ ଶର୍ମା/ଡାନିଶ ମଲେୱର, ର୍ୟାନ ରିକେଲଟନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସେରଫାନ ରଦରଫୋର୍ଡ, ନମନ ଧିର, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।
ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର(ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍, ବିଜୟ କୁମାର ବୈଶାଖ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।

