ପାକିସ୍ତାନ ଟିମ୍ ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଟି-୨୦ ବିଶ୍ବକପର ସୁପର-୮ରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସେମିରେ ଦଳ ସ୍ଥାନ ପାଇନଥିଲା । ଏହାପରେ ବାଂଲାଂଦେଶ ବିପକ୍ଷରେ ପ୍ରଥମ ଦିନିକିଆରେ ଲଜ୍ଜାଜନକ ପରାଜୟ ଦଳର ଚିନ୍ତା ବଢ଼ାଇଥିଲା । ମାତ୍ର ଦ୍ବିତୀୟ ଦିନିକିଆରେ ଦଳ ବିଜୟୀ ହୋଇ ସିରିଜକୁ ଏବେ ୧-୧ରେ ରଖିଛି । କିନ୍ତୁ ଦ୍ବିତୀୟ ଦିନିକିଆରେ ବିବାଦରେ ଛନ୍ଦି ହୋଇଛନ୍ତି ସଲମାନ ଅଲ୍ଲି ଆଗା । ସେ ନିଜର ଭୁଲ୍ ନିଷ୍ପତ୍ତି ପାଇଁ ରନଆଉଟ୍ ହୋଇଥିଲେ । ମାତ୍ର ପରେ ନିଜର ବିରକ୍ତିଭାବ ଦେଖାଇଥିଲେ । ସେ ଗ୍ଲୋକ୍ସ ଏବଂ ହେଲମେଣ୍ଟ ଫୋପାଡ଼ିଥିଲେ । ଯାହାକୁ ନେଇ ଦାବି ଉଠିଥିଲା କି ଆଇସିସି ଏହା ଉପରେ କ’ଣ ନେବ ପଦକ୍ଷେପ ?
ଏବେ ଏହି ଘଟଣାରେ ପଦକ୍ଷେପ ଗ୍ରହଣ କରିଛି ଆଇସିସି । ଆଇସିସି ଆଚରଣ ସଂହିତା ୨.୨ର ଉଲଙ୍ଘନ କରିଛନ୍ତି । କ୍ରିକେଟର ସାମଗ୍ରୀକୁ ସେ ଅପମାନିତ କରିଛନ୍ତି । ଯେଉଁ କାରଣରୁ ଆଇସିସି ତାଙ୍କୁ ଏକ ଡିମେରିଟ୍ ପଏଣ୍ଟ ଦେଇଛି । ଯାହା ୨୪ ମାସ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି । ଯଦିଓ ତାଙ୍କର କୌଣସି ମ୍ୟାଚ୍ ଫି’ କଟା ହୋଇନାହିଁ । ତଥାପି ଯଦି ଆଉ ତିନୋଟି ଡିମେରିଟ୍ ପଏଣ୍ଟ ପାଇବେ ତାହେଲେ କିଛି ମ୍ୟାଚ୍ ପାଇଁ ବାସନ୍ଦ ହୋଇପାରନ୍ତି ।
ସେ ଏଭଳି ବ୍ୟବହାର କରିଥିବାବେଳେ ମ୍ୟାଚ ରେଫରି ତାଙ୍କ ବିପକ୍ଷରେ ଅଭିଯୋଗ ଆଣିଥିଲେ । ପ୍ରଥମେ ଆଇସିସି ତାଙ୍କୁ ସମାଲୋଚନା କରିଥିଲା । ଆଉ ଏବେ ଏନେଇ ଏକ ପୋଷ୍ଟ କରି ତାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦର୍ଶାଇଛନ୍ତି । ସେପଟେ ବଲ ଡେଡ୍ ହୋଇନଥିବାବେଳେ ବୋଲର ସାଇଡରେ ରହିଥିବା ସଲମାନ ବୋଲରଙ୍କୁ ବଲ ଦେବାକୁ ଚେଷ୍ଟା କରିଥିଲେ । ମାତ୍ର ବୋଲର ଚାଲାକ କରି ରନ୍ ଆଉଟ୍ କରିଥିଲେ । ଯେଉଁଥିରେ ବିରକ୍ତ ହୋଇ ପ୍ରଥମେ ଯୁକ୍ତି କରିଥିଲେ । ମାତ୍ର ପରେ ଖରାପ ବ୍ୟବହାର କରିଥିଲେ । ଯେଉଁ କାରଣରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
