ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ ଏବଂ ଶୃଙ୍ଖଳା, ସଚ୍ଚୋଟତା, ସମ୍ମାନ ଓ ଦାୟିତ୍ୱ ଶିଖାଏ। ଏକ ଭଲ ସ୍କୁଲ ଛାତ୍ରୀଛାତ୍ରଙ୍କୁ କେବଳ ଚାକିରି ପାଇଁ ପ୍ରସ୍ତୁତ କରେ ନାହିଁ, ଏହା ଜୀବନ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଥାଏ। ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ପ୍ରଣୟନ କରାଯାଇ ଶିକ୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଏଥିସହ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏ ମଡେଲ ସ୍କୁଲ ତଥା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାଜପୁର ଜିଲାର ବ୍ୟାସନଗରସ୍ଥିତ ନରସିଂହ ଚୌଧୁରୀ(ଏନ୍ସି) ହାଇସ୍କୁଲର ଶନିବାର ପ୍ଲାଟିନମ୍ ଜୁବିଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଆଲୁମିନି କମିଟିର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ବଜେଟରେ ବହୁ ସୁଧାର ହୋଇପାରିଛି। ଆଉ ସେହି ଓଭରଡ୍ରାଫ୍ ନାହିଁ। ଚଳିତ ଆର୍ଥିକ ବର୍ଷରେ ୬.୧% ଭିତ୍ତିଭୂମି ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହାକି ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ପାରିଛି।
ଏନ୍ସି ହାଇସ୍କୁଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅନୁଷ୍ଠାନ ୮ ଦଶନ୍ଧି ଧରି ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ସ୍ତମ୍ଭ ଭଳି ଛିଡା ହୋଇଆସିଛି। ପ୍ରତିଷ୍ଠା ସମୟରୁ ପିଢ଼ି ପିଢ଼ି ଧରି ଏହା ଯୁବବର୍ଗଙ୍କୁ ସଶକ୍ତ କରିଛି ଏବଂ ଦାୟିତ୍ୱବାନ ନାଗରିକ ମଧ୍ୟ ଗଠନ କରିପାରିଛି। ଏହି ବିଦ୍ୟାଳୟ ଅନେକ ପ୍ରଶାସକ, ନ୍ୟାୟାଧୀଶ, ଡାକ୍ତର, ଇଞ୍ଜିନିୟର, ଉଦ୍ୟୋଗୀ, କ୍ରୀଡାବିତ୍, ପ୍ରତିରକ୍ଷା ଅଧିକାରୀ, ସାମାଜିକ କର୍ମୀ ଓ ଜନପ୍ରତିନିଧିଙ୍କୁ ସୃଷ୍ଟି କରିପାରିଛି। କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ମା’ ଏହି ବିଦ୍ୟାଳୟରେ ପାଠ ପଢୁଥିଲେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ରହିଥିଲେ।
ଏଭଳି ସଂଯୋଗ ଆମକୁ ଆନନ୍ଦିତ କରିଛି। ଏହି ବିଦ୍ୟାଳୟ ଏବେ ପିଏମ୍ଶ୍ରୀ ଯୋଜନାର ଅଂଶବିଶେଷ। ଏହି ଯୋଜନା ଅଧୀନରେ ବିଦ୍ୟାଳୟର ଆଧୁନିକ ଭିତ୍ତିଭୂମି, ଡିଜିଟାଲ ଶ୍ରେଣୀଗୃହ, ସ୍ମାର୍ଟ ଉପକରଣ ଏବଂ ସାମଗ୍ରୀ ବିକାଶ ଉପରେ ଧ୍ୟାନ ଦେଇ ବିକଶିତ ହେବାକୁ ଯାଉଛି। ହାଇସ୍କୁଲକୁ ଯିବା ପରେ ଅନେକ ପିଲା ଡ୍ରପ୍ଆଉଟ ହୋଇଥାନ୍ତି। ସେଥିରେ ଆଦିବାସୀ ବର୍ଗର ପିଲାମାନେ ଅଧିକ ରହିଥାନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଶିକ୍ଷାନୀତିକୁ
ଅଧିକ ପ୍ରାଧାନ୍ୟ ଦିଆଯାଉଛି। ପୂର୍ୱ ସରକାର ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ କୁଣ୍ଠାବୋଧ କରିଥିଲେ। ତେଣୁ ଶିକ୍ଷା କ୍ଷେତ୍ରରେ ଆମେ ବହୁ ପଛରେ ପଡ଼ିଲୁ। ଗତ ସରକାର ସମୟରେ ସ୍ମାର୍ଟ ସ୍କୁଲ ଯୋଜନା ବିଫଳ ହୋଇଥିଲା। ସାଧାରଣ ଷ୍ଟାଣ୍ଡାର୍ଡ ପିଲାମାନେ ସ୍ମାର୍ଟ ସ୍କୁଲର ଶିକ୍ଷାଦାନ ପ୍ରଣାଳୀକୁ ବୁଝିପାରି ନ ଥିଲେ। ପିଲାମାନଙ୍କୁ ସେଭଳି କୌଶଳ ନ ଶିଖାଇ ସିଧାସଳଖ ସ୍ମାର୍ଟ ସ୍କୁଲରେ ଦାଖିଲା କରିଥିଲେ। ଏହାବାଦ ଭିତ୍ତିଭୂମି ସାଙ୍ଗକୁ ଆବଶ୍ୟକ ଶିକ୍ଷକ ଅଭାବ ରହିଥିଲା। ତେଣୁ ଗତ ସରକାର ଲୋକହସା ହୋଇଥିଲେ। କିନ୍ତୁ ବର୍ତ୍ତମାନ ସରକାର ଶିକ୍ଷକ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି। ବର୍ତ୍ତମାନ ୨୨ ହଜାର ଶିକ୍ଷକଙ୍କୁ ନିୟମିତ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆହୁରି ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ଶିକ୍ଷକ ଥିଲେ।

