ନାଟମଣ୍ଡପରେ ଦୁଇ ସେବାୟତଙ୍କ ମାରପିଟ ତଥା ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର ଅଭିଯୋଗ ପ୍ରସଙ୍ଗ । ୩ଜଣ ସେବାୟତଙ୍କୁ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ । ଗତମାସ ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ କରିବା ତଥା ଅର୍ଥ ଆଦାୟକୁ ନେଇ ନିଜ ନିଜ ଭିତରେ ଗଣ୍ଡଗୋଳ ଘଟଣାରେ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ର ୨୧ (କ) ଧାରା ଅନୁଯାୟୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ସେଇଭଳି ଶ୍ରୀମନ୍ଦିର ପରିସରକୁ ଡାଲଡା ଘିଅ ବ୍ୟବହାର ଘଟଣାରେ ମହାସୁଆର ସେବକ ବେନା ମହାସୁଆରଙ୍କୁ ମଧ୍ୟ ଦୁଇମାସ ପାଇଁ ସେବାକାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା କଲେ ନିଲମ୍ବନ ଅବଧିକୁ ବୃଦ୍ଧି କରାଯିବା ସହ ଆହୁରି ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଶ୍ରୀମନ୍ଦିରର ଶୃଙ୍ଖଳା ଏବଂ ଗରିମା ରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ।

