ସଂଚାର ବ୍ୟୁରୋ: ଲିପଷ୍ଟିକ ଝିଅଙ୍କର ଏକ ମନପସନ୍ଦ ଜିନିଷ। ସବୁବେଳେ ଏହାକୁ ଲଗାଇବା ଝିଅମାନଙ୍କର ଗୋଟେ ଅଭ୍ୟାସ। ମେକଅପ କର ବା ନକର ହେଲେ ଓଠରେ ଲିପଷ୍ଟିକ ନିହାତି ଲାଗିଥିବ। କିନ୍ତୁ ଆପଣ ଜାଣନ୍ତି କି, ସବୁବେଳେ ଲିପଷ୍ଟିକ ଲଗାଇବା ସ୍ୱାସ୍ଥ୍ୟପକ୍ଷେ ଠିକ ନା ଭୁଲ। ଲିପଷ୍ଟିକରେ ଥିବା କୃତ୍ରିମ ରଙ୍ଗ ଓ କେମିକାଲ ଯୋଗୁଁ ଓଠରେ ଖସୁଣି, ଲାଲ ଦାଗ ଓ ସ୍ୱେଲିଂ ଭଳି ଏଲର୍ଜି ହୋଇପାରେ। ଲିପଷ୍ଟିକରେ ଥିବା କେମିକାଲ ଖାଦ୍ୟ ଓ ପାଣି ସହିତ ପେଟରେ ପହଞ୍ଚି ଟକ୍ସିନ ଉତ୍ପନ୍ନ କରିପାରେ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଲିପଷ୍ଟିକ କିଣିବା ସମୟରେ ଏହାର ଉପାଦାନ ଯାଞ୍ଚ କରନ୍ତୁ।
ଲେଡ-ମୁକ୍ତ ଓ ମୋଇସଚରାଇଜିଂ ଲିପଷ୍ଟିକ ବାଛିବା ଉଚିତ । ବଜାରରେ ଉପଲବ୍ଧ ଅନେକ ଲିପଷ୍ଟିକରେ କେମିକାଲ ଯେପରିକି ଲେଡ, କ୍ରୋମିୟମ, କ୍ୟାଡମିୟମ, ଏଲୁମିନିୟମ ଏବଂ ଅକ୍ସିକ୍ଲୋରାଇଡ ଆଦି ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ବର୍କଲେ ସ୍କୁଲ ଅଫ ପବ୍ଲିକ ହେଲଥର ଏକ ଅଧ୍ୟୟନ ଅନୁଯାୟୀ, ଏହି କେମିକାଲଗୁଡ଼ିକ ମୁଖ ଦେଇ ପେଟରେ ପହଞ୍ଚି ଡାଇଜେଷ୍ଟିଭ ସିଷ୍ଟମକୁ କ୍ଷତି ପହଞ୍ଚାଇପାରେ, ଯାହା ପେଟ ଯନ୍ତ୍ରଣା, ଆଲସର ଏବଂ ଏପରିକି କିଡନୀ ଓ ଲିଭର ସମସ୍ୟାର କାରଣ ହୋଇପାରେ।
ଏହା ବ୍ୟତୀତ, କାର୍ସିନୋଜେନିକ କେମିକାଲ ଯୋଗୁଁ କ୍ୟାନସର ଭଳି ଗୁରୁତର ରୋଗର ଆଶଙ୍କା ମଧ୍ୟ ବଢ଼ିପାରେ। ଓଠକୁ ଏକ୍ସଫୋଲିଏଟ କରି ଶୁଷ୍କ ଚର୍ମ ହଟାନ୍ତୁ ଏବଂ ନିୟମିତ ଲିପ ବାମ ବ୍ୟବହାର କରନ୍ତୁ ଯାହା ଓଠକୁ ମୃଦୁ ଓ ନମ୍ର ରଖିବ। ନିୟମିତ ଲିପଷ୍ଟିକ ବ୍ୟବହାର ଯୋଗୁଁ ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇ କଳା ପଡ଼ିପାରେ। ଏହା ବିଶେଷକରି ଲେଡ ଯୁକ୍ତ ଲିପଷ୍ଟିକ ଯୋଗୁଁ ହୋଇଥାଏ। ତେବେ ଏବେ ହିଁ ନିଜ ଓଠର ଯତ୍ନ ଏବେଠାରୁ ହିଁ ନିଅନ୍ତୁ।

