ପୂର୍ବ ସରକାରରେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲୁଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ ବନ୍ଦ ହୋଇ ପଡ଼ିଥିବା ବିଦ୍ୟାଳୟକୁ ଖୋଲା ଯାଉଛି । ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ଏ ତଥ୍ୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ତଥ୍ୟ ଅନୁସାରେ, ‘୨୦୨୦ ଡିସେମ୍ବର ୧୪ ସୁଦ୍ଧା ରାଜ୍ୟରେ ସମୁଦାୟ ୪ ହଜାର ୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିଲା । ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଫଳରେ ସରକାର ୪୬ଟି ବିଦ୍ୟାଳୟକୁ ଖୋଲିଛନ୍ତି । ଆଉ ୫ଟି ବନ୍ଦ ବିଦ୍ୟାଳୟକୁ ଖୋଲିବା ପାଇଁ ଆବେଦନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଚାରାଧୀନ ରହିଛି ।’
ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, କମ୍ ଛାତ୍ରଛାତ୍ରୀ ଥିବାରୁ ରାଜ୍ୟରେ ମୋଟ ୪ ହଜାର ୬୧୯ଟି ପ୍ରାଥମିକ ବିଦ୍ୟାଳୟକୁ ପୂର୍ବ ସରକାର ବନ୍ଦ କରିଥିଲେ ।କଟକ ଜିଲ୍ଲାରେ ସର୍ବାଧିକ ୩୯୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଏକମାତ୍ର ଜିଲ୍ଲା ଭାବେ ପୁରୀରେ ଗୋଟିଏ ବି ବିଦ୍ୟାଳୟରେ ତାଲା ପଡ଼ିନି ।
କଟକ ପରେ ଦ୍ଵିତୀୟ ସର୍ବାଧିକ ୩୨୬ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି ଗଞ୍ଜାମ ଜିଲ୍ଲାରେ । ସେହିଭଳି ମୟୂରଭଞ୍ଜରେ ୩୦୮ଟି, ଯାଜପୁରରେ ୨୮୩ଟି,କୋରାପୁଟରେ ୨୪୮ଟି, ଗଜପତିରେ ୨୪୭ଟି, ବରଗଡ଼ରେ ୨୦୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି ।
ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପରେ ଖୋଲିଥିବା ୪୬ଟି ବିଦ୍ୟାଳୟରୁ ବରଗଡ଼ରେ ୭ଟି, ଦେବଗଡ଼ରେ ୧୦ଟି, ଢେଙ୍କାନାଳରେ ୨୨ଟି, ଯାଜପୁରରେ ୪ଟି, ଖୋର୍ଦ୍ଧା ଜିଲ୍ଲାର ୩ଟି ପ୍ରାଥମିକ ବିଦ୍ୟାଳୟ ରହିଛି । ଏବେ ନବରଙ୍ଗପୁର ଜିଲ୍ଲାର ୫ଟି ବିଦ୍ୟାଳୟ ଖୋଲିବା ପାଇଁ ବିଭାଗ ନିକଟରେ ଆବେଦନ ବିଚାରାଧୀନ ରହିଛି ।