ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ନିମନ୍ତେ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ପାଇଁ ୩୮୬ କୋଟି ଟଙ୍କାର ଆୟବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜସ୍ୱ ଆୟ ୨୭୫ କୋଟି ୮୩ ଲକ୍ଷ ୯୯ ହଜାର ଟଙ୍କା ଥିବା ବେଳେ ଖର୍ଚ୍ଚ ୧୯୧ କୋଟି ୩ ଲକ୍ଷ ୭୦ ହଜାର ଟଙ୍କା ରହିଛି । ଏଥିରେ ରାଜସ୍ୱ ବଳକା ୮୩ କୋଟି ୮୦ ଲକ୍ଷ ୨୯ ହଜାର ଟଙ୍କା ରହିଛି ।
ବଜେଟ ଏଷ୍ଟିମେଟ୍ କ୍ୟାପିଟାଲ ୧୧୦ କୋଟି ୧୬ ଲକ୍ଷ ୯୦ ହଜାର ଟଙ୍କା ହୋଇଥିବା ବେଳେ ବ୍ୟୟ ୧୧୭ କୋଟି ୫୦ ଲକ୍ଷ ୭୮ ହଜାର ଟଙ୍କା ରହିଛି । ସବୁ ମିଶାଇଲେ ୭୭ କୋଟି ୨୧ ଲକ୍ଷ ୪୧ ହଜାର ଟଙ୍କା ରାଜସ୍ୱ ବଳକା ହେଉଛି ।
ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍କମିଟି ବୈଠକରେ ଏନେଇ ଆଲୋଚନା ପରେ ପରିଚାଳନା କମିଟିରେ ବଜେଟକୁ ଉପସ୍ଥାପିତ କରିବାକୁ ସୁପାରିସ ହୋଇଛି । ବୈଠକରେ ୨୦୨୧-୨୨ର ଆକାଉଣ୍ଟ ଅଡିଟ୍ ଉପସ୍ଥାପିତ ହୋଇଥିଲା । ଯାହାକୁ ମଞ୍ଜୁର କରାଯାଇଛି । ଶୁକ୍ରବାର ଏହାକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି । ସେପଟେ ଜଣାପଡ଼ିଛି ବିଜେପି ସରକାର ଘୋଷଣା କରିଥିବା ୫୦୦ କୋଟି ଟଙ୍କା କର୍ପସ ଫଣ୍ଡ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ମିଳିନି । ମଞ୍ଜୁରି ମିଳିବା ସତ୍ତେ୍ୱ ଗୁରୁକୁଳ ପ୍ରକଳ୍ପ ନିମନ୍ତେ ଟଙ୍କା ଖର୍ଚ୍ଚ ହୋଇପାରିନି । ଜମି ବିବାଦରୁ ସେବାୟତ କଲ୍ୟାଣ ପାଣ୍ଠି ଖର୍ଚ୍ଚ ହୋଇପାରିନି ।