ବିଶ୍ଵ ବଜାରରେ ଅସ୍ଥିରତା ଭିତରେ ବୁଧବାର ଭାରତୀୟ ସେୟାର ବଜାର ବୃଦ୍ଧି ସହ ବନ୍ଦ ହୋଇଛି । ଜିଏସଟି ଟିକସ ସ୍ଲାବ୍ ହ୍ରାସ ଆଶାରେ ସେୟାର ବଜାରରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଣାବିକା ବଢ଼ିଛି । ଏଥିସହ ଧାତୁ ସେୟାରରେ ଉଚ୍ଚ ଅଭିବୃଦ୍ଧି ବଜାରକୁ ଉପରକୁ ଉଠାଇଛି ।
ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ (GST Council)ର ୫୬ତମ ବୈଠକ ଆରମ୍ଭ ହୋଇ ସାରିଛି । ନିର୍ମଳାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି । ଏହି ବୈଠକରେ ଜିଏସଟି ଟିକସ ସ୍ଲାବରେ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇପାରେ ।
ବୁଧବାର ୩୦ ସେୟାର ବିଶିଷ୍ଟ (BSE Sensex) ୧୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୦, ୨୯୫.୯୯ ପଏଣ୍ଟରେ କାରବାର ଆରମ୍ଭ କରିଥିଲା । କାରବାର ବେଳେ ବଜାର ଉପର ତଳ ହେଉଥିବା ବେଳେ କାରବାର ବନ୍ଦ ବେଳକୁ ଉପରମୁହାଁ ହୋଇଥିଲା । ୪୦୯.୮୨ ପଏଣ୍ଟ ଅର୍ଥାତ୍ ୦.୫୧ ପ୍ରତିଶତ ବୃଦ୍ଧି ପାଇ ୮୦, ୫୬୭.୭୧ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର ।
ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ର ନିଫ୍ଟି୫୦ (Nifty50) ମଧ୍ୟ ବୃଦ୍ଧି ସହ ୨୪, ୬୧୬ ପଏଣ୍ଟରେ ଖୋଲିଥିଲା । ୧୩୫.୪୫ ପଏଣ୍ଟ ବୃଦ୍ଧି ପାଇ କାରବାର ୨୪, ୭୧୫ ପଏଣ୍ଟରେ କାରବାର ବନ୍ଦ ହୋଇଛି । ଉଭୟ ସେନସେକ୍ସ ଓ ନିଫ୍ଟିରେ ଅଭିବୃଦ୍ଧି ନିବେଶକାରୀଙ୍କୁ ଉତ୍ସାହିତ କରିଛନ୍ତି ।
ବୁଧବାର ଟାଟା ଷ୍ଟିଲ୍ ସେୟାର ସର୍ବାଧିକ ୬ ପ୍ରତିଶତ ବୃଦ୍ଧି ପାଇଛି । ସେଲ୍ (SAIL) ଓ ଓଡ଼ିଶା ଖଣିଜ ନିଗମ (OMC)କୁ କେନ୍ଦ୍ର ସରକାର ଅଣକାର୍ଯ୍ୟକ୍ଷମ ଲୁହା ଓ ଅନ୍ୟ ଖଣି ପୁଣି ଦେବାକୁ ବିଚାର କରୁଛନ୍ତି । ଏହା ଫଳରେ ଆଜି ଧାତୁ ସେୟାର ବଢ଼ିଥିଲା । ଟାଇଟନ୍, ମହିନ୍ଦ୍ରା, ଆଇଟିସି, ଟାଟା ମୋଟର୍ସ, ଟ୍ରେଣ୍ଟ ଲିମିଟେଡ୍, ଏସ୍ବିଆଇ, ସନଫାର୍ମା ସେୟାର ବଢ଼ିଛି ।

