ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ଶିବୁ ସୋରେନଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଦିଲ୍ଲୀର ଗଙ୍ଗାରାମ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଶିବୁ ସୋରେନଙ୍କ ନିଧନରେ ପୁଅ ହେମନ୍ତ ସୋରେନ କହିଛନ୍ତି, ଆଦରଣୀୟ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ଆଜି ମୁଁ ଶୂନ୍ୟ ହୋଇଗଲି ।
ଶିବୁ ସୋରେନ ଜୁଲାଇରେ କିଡନୀ ସମସ୍ୟାରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ଠାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ଦୀର୍ଘ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଡନୀ ରୋଗରେ ପୀଡିତ ଥିଲେ । ଦେଢ଼ ମାସ ପୂର୍ବରୁ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । ତାଙ୍କୁ ଗତ ଗୋଟିଏ ମାସ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା।
ଶିବୁ ସୋରେନ ଜେଏମଏମର ପ୍ରତିଷ୍ଠାତା । ଦୀର୍ଘ ୩୮ ବର୍ଷ ଧରି ସେ ଦଳର ମଙ୍ଗ ସମ୍ଭାଳିଥିଲେ । ଶିବୁ ସୋରେନଙ୍କ ଜନ୍ମ ଝାଡ଼ଖଣ୍ଡ ହଜାରିବାଗରେ ହୋଇଥିଲା । ୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ । ୧୯୮୦ ଯାଏଁ ଲଗାତାର ସାଂସଦ ରହିଥିଲେ । ଏହାପରେ ସେ ୩ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।