ସଂଚାର ବ୍ୟୁରୋ: ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଗଠନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭିନେତା ମୋହନଲାଲ । ଏହା ସହ କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି । ମୋହନଲାଲଙ୍କ ସମେତ ସଂଗଠନର ପ୍ରାୟ ୧୭ ଜଣ ସଦସ୍ୟ ଇସ୍ତଫା ଦେବା ପରେ ଏହି କମିଟି ଭାଙ୍ଗିଯାଇଛି । ହେମା କମିଟି ରିପୋର୍ଟରେ ମଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲାର ଖୁଲାସା ହେବା ପରେ ମୋହନଲାଲଙ୍କ ନେତୃତ୍ବାଧୀନ ସଂଗଠନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ମଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ନେଇ ରିପୋର୍ଟ ଆସିବା ପରେ ମୋହନଲାଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାକୁ ନେଇ ଆଜି ମୋହନଲାଲ ଆସୋସିଏସନ୍ ଅଫ ମଲାୟାଲମ ମୁଭି ଆର୍ଟିଷ୍ଟ (AMMA)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।
ଏହା ପୂର୍ବରୁ ନିର୍ଦ୍ଦେଶକ ରଞ୍ଜୀତ କେରଳ ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ନିର୍ଦ୍ଦେଶକ ଦୁର୍ବବ୍ୟହାର କରିଥିବା ନେଇ ଜଣେ ବଙ୍ଗାଳୀ ଅଭିନେତ୍ରୀ ଅଭିଯୋଗ ଆଣିଥିଲେ । ସେହିଭଳି ଅଭିନେତା ସିଦ୍ଦିକି ମଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନ୍ର ସାଧାରଣ ସଂପାଦକ ପଦ ଛାଡ଼ିଛନ୍ତି । ଅଭିନେତାଙ୍କ ବିରୋଧରେ ଜଣେ ଅଭିନେତ୍ରୀ ଯୌନ ଉତ୍ପୀଡ଼ନ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ମଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ପରେ କେରଳ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଅଭିନେତ୍ରୀଙ୍କୁ ଅତ୍ୟାଚାର ମାମଲାରେ ତଦନ୍ତ କରିବାକୁ ୭ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଗଠନ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୭ରେ ଜଷ୍ଟିସ ହେମାଙ୍କ ନେତୃତ୍ବରେ ଗଠିତ କମିଟି ମଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଅତ୍ୟାଚାର ଏବଂ ଶୋଷଣର ଅନୁସନ୍ଧାନ କରିଥିଲା । ଏବେ ଜଷ୍ଟିସ୍ ହେମା କମିଟି ଏନେଇ ରିପୋର୍ଟ ପ୍ରକାଶ କରିଛି । ଅଭିନେତ୍ରୀମାନଙ୍କ ପାଇଁ ମଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡିଛି । ଅଭିନେତ୍ରୀ ମଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନାର ମଧ୍ୟ ଶିକାର ହେଉଥିବା ଖୁଲାସା ହୋଇଛି । ଏହା ପରେ ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ନିଜ ଅଭିଯୋଗ ଶୁଣାଇଛନ୍ତି । ଯାହାକୁ ନେଇ ମଲାୟାଲମ ସିନେ ଜଗତ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।