ସଂଚାର ବ୍ୟୁରୋ: ଓଡ଼ିଶାରେ କେହି ବି ଭୂମିହୀନ ରହିବେ ନାହିଁ ବୋଲି ଆଜି ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତହସିଲଦାରମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ । ରାଜସ୍ୱ ବିଭାଗ ହେଉଛି ସ୍ଵଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ । ତେଣୁ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନାହିଁ, ଦୁର୍ନୀତି କ୍ଷେତ୍ରରେ ଆମ ନୀତି ହେଉଛି ‘ଶୂନ୍ୟ ସହନଶୀଳତା’ । ଯେଉଁମାନଙ୍କର ୪ ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ । ତେଣୁ ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି l ସମାଜର ଶେଷ ଧାଡ଼ିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ । ଆଗାମୀ ଦିନରେ ସରକାର ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।