ସଂଚାର ବ୍ୟୁରୋ: ମହିଳାଙ୍କ ସଶକ୍ତିକରଣକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଥିବାବେଳେ ନିର୍ବାଚନ ପ୍ରତିଶୃତି ପାଳନ କରିଛି ବିଜେପି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ବାଚନୀ ଇସ୍ତହାରରେ ବିଜେପି କହିଥିଲା । ଶୁକ୍ରବାର ସୁଭଦ୍ରା ଯୋଜନାର ଏସଓପି ଆସିଥିବାବେଳେ ଏହାକୁ ସରକାରଙ୍କୁ ପ୍ରଂଶସା କରି ଏକ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି କି, ଓଡ଼ିଶାର ନାରୀଶକ୍ତିଙ୍କ ହାତମୁଠା ହେବ ଅଧିକ ମଜଭୂତ୍ ।
ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଙ୍କ ନେତୃତ୍ୱରେ ଆମ ସରକାର ସବୁବେଳେ ଅନ୍ତ୍ୟୋଦୟ ଯୋଜନାରେ ନାରୀଶକ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ସୁଭଦ୍ରା ଯୋଜନା’କୁ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତିକୁ ମୁଁ ସ୍ୱାଗତ କରୁଛି ।
‘ସୁଭଦ୍ରା ଯୋଜନା’ରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ 10 ହଜାର ଟଙ୍କା ତଥା ମୋଟ 5 ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ 50, 000 ଟଙ୍କା ପ୍ରଦାନ କରାଯିବ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ହିତାଧିକାରୀଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ । ଏହି ନିଷ୍ପତି ଦ୍ୱାରା ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବେ । ମହିଳା ମାନଙ୍କ ଆଶା ଓ ଭରସାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାରଙ୍କ ଏହା ଏକ ଜନକଲ୍ୟାଣକାରୀ ପଦକ୍ଷେପ ।