ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ । ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିର ପ୍ରବେଶ ମନା । ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩୦ ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ, ରାମକୃଷ୍ଣ ଦାସ ମହାପାତ୍ର କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ।
ଏଥି ସହିତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ ଆଦେଶ ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକଚମକ କରି ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ । ଏପରି କଲେ, ନିଲମ୍ବନ ଅବଧିକୁ ବର୍ଦ୍ଧିତ କରାଯାଇ, ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର ନିୟମିତ ଭାବେ ରାମକୃଷ୍ଣ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ରାମକୃଷ୍ଣ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ/ ପାଉଣା/ ପୁରସ୍କାର ରଦ୍ଦ କରାଯିବ ବା ସ୍ଥଗିତ ରଖାଯିବ ବୋଲି ମଧ୍ୟ ଆଦେଶରେ କୁହାଯାଇଛି ।
କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦୁଇଟି ନୋଟିସ୍ ହୋଇଥିଲା । ପ୍ରଥମେ ମେ’ ୪ ତାରିଖରେ କୈଫିୟତ ନୋଟିସ୍ ଜରିଆରେ, ୭ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା । ସେହି ନୋଟିସରେ ରାମକୃଷ୍ଣ ଦାସମହାପାତ୍ର, “କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟକରି ନବକଳେବର ସଂଗୃହୀତ ବଳକା ଦାରୁ ନିର୍ମିତ ବିଗ୍ରହ ଦୀଘା ମନ୍ଦିରରେ ପ୍ରତିଷ୍ଠା ହୋଇଛି ବୋଲି ବୟାନ ଦେଇ ସାରା ବିଶ୍ବର ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ବାସକୁ କୁଠାରାଘାତ କଲେ ଏବଂ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇ କାହିଁକି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପୂର୍ବକ ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କଲେ,” ସେ ନେଇ ଉତ୍ତର ରଖିବାକୁ କୁହାଯାଇଥିଲା ।