ଗାନ୍ଧୀ ଜୟନ୍ତୀରୁ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ ହୋଇଛି । ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିମାନବନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ଜନତା ଦଳ ତାର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ ।
ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ସରକାର କହୁଛନ୍ତି ଲୋକଙ୍କ ସରକାର କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ । ପିଲାଙ୍କ ପଢା ବହି ନାହିଁ । ବୁଢାବୁଢ଼ିଙ୍କ ପେନସନ ନାହିଁ । ଚାଷୀ ହଇରାଣ । ମା ମାନେ ହଇରାଣ । ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ।
ରାଜ୍ୟ ସରକାରଙ୍କ ବିଫଳତା ଓ ପରିଚାଳନା ଉପରେ ନବୀନ କହିଥିଲେ ଯେ, ସରକାର ଗୋଟିଏ ବି ରଥଯାତ୍ରା ଠିକ୍ ଭାବରେ ପରିଚାଳନା କରି ପାରିଲେନି । ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା, ସବୁ କାମରେ ଏ ସରକାର ଫେଲ୍ । ଲୋକ କହୁଛନ୍ତି ଯେ, ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି ।
କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ନେଇଗଲେ । ଓଡ଼ିଶା ସରକାର ଚୁପ୍ । କୋଡିଏ ବିଜେପି ସାଂସଦ ଓଡ଼ିଶାବାସୀଙ୍କ ପାଇଁ ଚୁପ୍ । କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ । ପିଲାଙ୍କ ପଢା ବହି କଥା ନ କହିବା ଭଲ । ହଜାର ହଜାର ଭୁଲ । କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି କ୍ଷୋଭ ପ୍ରକାଶ କରିଥିଲେ ନବୀନ ।
ନବୀନ ଆହୁରି କହିଥିଲେ ଯେ ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି । ବଜେଟ ବ୍ୟୟ ବରାଦ ଖର୍ଚ୍ଚ ହୋଇ ପାରୁନି । କିଛି କାମ ହେଉନାହିଁ କିନ୍ତୁ ଋଣ ଭାର ବଢ଼ି ଚାଲିଛି । ଟଙ୍କା କୁଆଡେ ଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ବିଜୁ ଜନତା ଦଳ ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶା ପାଇଁ ଲଢ଼ି ଆସିଛି ଓ ଆଗାମୀ ଦିନରେ ଲଢେଇକୁ ଆହୁରି ଜୋରଦାର କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର , ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ ।

