ପେଗାସସ୍ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ। ଏହା କହିଛନ୍ତି ସୁପ୍ରିମକୋର୍ଟ। ଏ ସଂପର୍କିତ ରିପୋର୍ଟକୁ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ରାସ୍ତାରେ ଦେଶର ସୁରକ୍ଷା ସହିତ ଜଡ଼ିତ ପ୍ରସଙ୍ଗକୁ ଆଲୋଚନା କରାଯାଇପାରିବ ନାହିଁ। ଆମେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛୁ, ତାହା ସମସ୍ତେ ଜାଣନ୍ତି। ପେଗାସସ୍ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ସୁରକ୍ଷା ପାଇଁ ସ୍ପାଏୱାୟାର ବ୍ୟବହାର କରିବା ଭୁଲ ନୁହେଁ, ଯଦି ଏହା ନାଗରିକଙ୍କୁ ଟାର୍ଗେଟ କରୁନଥାଏ। କୋର୍ଟ ସ୍ପଷ୍ଟ କରିଛନ୍ତି, ରିପୋର୍ଟର ବିବରଣୀ ସାର୍ବଜନୀନ କରାଯାଇପାରିବ ନାହିଁ କାରଣ ଏହା ଦେଶର ସୁରକ୍ଷା ଏବଂ ସାର୍ବଭୌମତ୍ୱ ସହିତ ଜଡିତ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଇଙ୍ଗିତ କରି କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ “ଆମେ ଯେଉଁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେଉଛୁ” ସେଥିପାଇଁ ସତର୍କତାର ଆବଶ୍ୟକତା ରହିଛି।
କୋର୍ଟ କହିଛନ୍ତି, ଯଦି କିଏ ସନ୍ଦେହ କରନ୍ତି, ତାଙ୍କୁ ସ୍ପାଏୱେର୍ ଜରିଆରେ ଟାର୍ଗେଟ କରାଯାଉଛି, ସେ କୋର୍ଟକୁ ଯାଇପାରିବେ। ସେମାନଙ୍କୁ ଏ ନେଇ ସୂଚନା ଦିଆଯିବ। କିନ୍ତୁ ଦେଶର ସୁରକ୍ଷା ସହିତ ସାଲିସ କରିବା ଉଚିତ୍ ନୁହେଁ। ଯଦି ଏହା ଜଣେ ନାଗରିକ ବିରୋଧରେ ବ୍ଯବହାର କରାଯାଏ, ତା ଉପରେ ବିଚାର କରାଯିବ ବୋଲି ଜଷ୍ଟିସ୍ ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ପେଗାସସ୍ ମାଧ୍ୟମରେ ଗୁପ୍ତଚର ଅଭିଯୋଗର ସୁପ୍ରିମକୋର୍ଟଙ୍କ ବୈଷୟିକ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ଆବେଦନକାରୀମାନେ ଦାବି କରିଥିଲେ। ଇସ୍ରାଏଲରେ ପ୍ରସ୍ତୁତ ପେଗାସସ୍ ଜରିଆରେ ଦେଶର କେତେକ ବଡ଼ ବଡ଼ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବାର ଅଭିଯୋଗ ହୋଇଥିଲା। ଏପରିକି ଏହି ତାଲିକାରେ ରାହୁଲ ଗାନ୍ଧି, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସା, ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ଏବଂ ଅନେକ ସାମ୍ବାଦିକ ଏବଂ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ଼।
ସୁପ୍ରିମକୋର୍ଟର ବୈଷୟିକ କମିଟି ଗୁପ୍ତଚର ଅଭିଯୋଗର ତଦନ୍ତ କରିଥିଲା। କମିଟି ଯାଞ୍ଚ କରିଥିବା 29ଟି ଫୋନ୍ରେ ପେଗାସସ୍ର କୌଣସି ପ୍ରମାଣ ପାଇଲା ନାହିଁ, କିନ୍ତୁ ୫ଟି ମୋବାଇଲରେ ମିଳିଥିଲା ମାଲୱେର୍।