ଝାରସୁଗୁଡ଼ାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଉନ୍ମୋଚିତ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ଦ୍ୱିଭାଷୀ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଖନ କୌଶଳ ଓ ପଠନ ଗୁଣବତ୍ତାକୁ ବୃଦ୍ଧି କରିବା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ‘ପଠନ ପାର୍ବଣ’ ପୁସ୍ତକ ପ୍ରସ୍ତୁତ କରାଯାଇଛି।
ସେ କହିଛନ୍ତି ଯେ ଓଡ଼ିଶାର ପଶ୍ଚିମାଞ୍ଚଳରେ କଥିତ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡାଯିବା ଦିଗରେ ଆଜି ଏକ ନୂଆ ସେତୁବନ୍ଧ ତିଆରି ହୋଇଛି । ‘ସମ୍ବଲପୁରୀ ଭାଷା ଶିକ୍ଷା’ ପୁସ୍ତକ ଦ୍ୱାରା ଆମର ସ୍ଥାନୀୟ ଅଞ୍ଚଳର ପିଲାମାନେ ସମ୍ବଲପୁରୀ – କୋଶଲି ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହିତ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖିପାରିବେ । କଥନ ସହିତ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିପାରିବେ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ପୁସ୍ତକ ପଠନ ଅଭ୍ୟାସକୁ ବୃଦ୍ଧି କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପଠନ ପାର୍ବଣ’ ଆରମ୍ଭ ହୋଇଥିଲା । ଏହି ପଠନ ପାର୍ବଣ ଅଭିଯାନ ଗତ ବର୍ଷ ୧୮ ନଭେମ୍ବର ୨୦୨୪ରୁ ଆରମ୍ଭ ହୋଇ ୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଚାରୋଟି ବର୍ଗରେ ପ୍ରଥମରୁ ତୃତୀୟ, ଚତୁର୍ଥରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କୁ ବିଭିନ୍ନ ପୁସ୍ତକ ପଢି ତାହାକୁ ସାଂରାଶରେ ଲେଖିବା ପାଇଁ କୁହାଯାଇଥିଲା । ପିଲାମାନେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏକ ପୁସ୍ତକ ପଢି ତାହାର ସାରାଂଶ ପ୍ରସ୍ତୁତ କରୁଥିଲେ, ଯାହାକୁ ନେଇ ଏକ ପୁସ୍ତକ ଆଜି ଲୋକାର୍ପିତ ହୋଇଛି । ପଠନ ପାର୍ବଣ ଭଳି କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ୫୬,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ବହି ପଢିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ନବସୃଜନ ଚିନ୍ତାଧାରା ବୃଦ୍ଧି ହେଉଥିବା ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେବା ପରେ ଝାରସୁଗୁଡ଼ା ସମେତ ସମଗ୍ର ଭାରତବର୍ଷରେ ଶିକ୍ଷଣ ଫଳାଫଳ ବୃଦ୍ଧି ହୋଇଛି । ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମଗ୍ର ଶିକ୍ଷା ଅଭିଯାନରେ ଡ୍ରପ୍ ଆଉଟ ହ୍ରାସ କରିବା ତଥା ସବୁ ବର୍ଗର ପିଲାମାନଙ୍କୁ ସ୍କୁଲକୁ ଆଣିବା ମୂଳ ଉଦ୍ଦେଶ୍ୟ ରହିଛି । ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଫଳାଫଳ ଜାତୀୟ ସ୍ତର ଠାରୁ ଅଧିକ ହୋଇଛି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଚାଷୀ ପରିବାରର ଝିଅ ପ୍ରୀତି ବିଶ୍ୱାଳଙ୍କ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି ।