ସଂଚାର ବ୍ୟୁରୋ: ପୁରୀରେ ବଲିଉଡର ଅଭିନେତ୍ରୀ ଜୁହି ଚାୱଲା । ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ବଲିଉଡର ବରିଷ୍ଠ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଜୁହି ଚାୱଲା। ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ଆଜି ଏକାଦଶୀର ଏକ ଶୁଭ ଦିନରେ ମହାପ୍ରଭୁଙ୍କ ଡୋରି ତାଙ୍କୁ ପୁରୀ ଟାଣି ଆଣିଛି ବୋଲି ସେ କହିଛନ୍ତି।
ତେବେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରି ବେଶ୍ ଭାବ ବିଭୋର ହୋଇପଡିଥିବା କହିଛନ୍ତି ଜୁହି ଚାୱଲା। କିଛି ମାସ ହେଲା ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ ମନସ୍ତ କରିଥିଲେ। ତେବେ ମହାପ୍ରଭୁ ତାଙ୍କ ଆଶା ଆଜି ପୂରଣ କରିଥିବାରୁ ମହାପ୍ରଭୁଙ୍କ ପାଖରେ ସେ ନିଜକୁ ସମର୍ପଣ କରିଦେଇଥିବା କହିଛନ୍ତି।
ସେହିପରି ମହାପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୪ ଆଇପିଏଲ ମହାସମରରେ କେକେଆର୍ ଜିତାପଟ ହାସଲ କରିଥିବା ସେ କହିଛନ୍ତି। ନିଜ କର୍ମମୟ ଜୀବନ କିଭଳି ସୁରୁଖୁରୁରେ ଚାଲିବ ଏବଂ ଦେଶବାସୀଙ୍କ ସୁଖ ସମୃଦ୍ଧି ମଧ୍ୟ କାମନା କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଜୁହି ଚାୱଲା।