ଭୁବନେଶ୍ୱର : ବାହା ହେଲେ ମନ୍ମଥ ରାଉତରାୟ । ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଟ କଂଗ୍ରେସ ନେତା ତଥା ସୁରେଶ ରାଉତରାୟଙ୍କ ସାନ ପୁଅ । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି । ମନ୍ମଥଙ୍କ ପତ୍ନୀଙ୍କ ନାଁ ହେଉଛି ରୋଜାଲିନ୍ ପଟ୍ଟନାୟକ । ସେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି । ରୋଚକ କଥା ହେଉଛି, ରୋଜାଲିନ୍ ହେଉଛନ୍ତି ମନ୍ମଥଙ୍କ ପ୍ରଥମ ପତ୍ନୀ ସୁଚିସ୍ମିତା ମହାପାତ୍ରଙ୍କ ବାନ୍ଧବୀ ।
ତେବେ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ସୋମବାର ସନ୍ଧ୍ୟାରେ ରିସର୍ଟର ଅଳ୍ପ ଦୂରରୁ ବର ବେଶରେ ବାହାରିଥିଲେ ମନ୍ମଥ । ସାଙ୍ଗରେ ଅଳ୍ପ କିଛି ବରଯାତ୍ରୀ ଥିଲେ । ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀ ଭାବେ ଯାଇଥିଲେ । ବିଜେଡି କିମ୍ବା କଂଗ୍ରେସ ଦଳରୁ ଅନ୍ୟ କେହି ନେତା ବିବାହରେ ସାମିଲ୍ ହୋଇନଥିଲେ । ବିଳମ୍ବିତ ରାତିରେ ଚନ୍ଦକା ରିସର୍ଟରେ ବୈଦିକ ରୀତିନୀତିରେ ତାଙ୍କର ବାହାଘର ସମ୍ପନ୍ନ ହୋଇଥିବା ସୂଚନା ମିଳିଛି । ରିସର୍ଟ ଭିତରେ ଫଟୋ ଉଠା ଉପରେ କଟକଣା ଲାଗିଥିଲା । ତାଙ୍କ ବାହାଘରରେ ଅଳ୍ପ କିଛି ହାତଗଣତି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସାମିଲ୍ ହୋଇଥିଲେ ।