ଭୁଲ ସୂଚନା ଦେଲା ଗୁଗଲ ମ୍ୟାପ। ଏଥର ସାଧାରଣ ଲୋକ ନୁହନ୍ତି ବରଂ ସମସ୍ଯାର ଶିକାର ହୋଇଛନ୍ତି ପୋଲିସ। ଏପରିକି ନାଗାଲାଣ୍ଡ ମୋକକଚଙ୍ଗ ଜିଲ୍ଲାରେ ସ୍ଥାନୀୟ ଲୋକଙ୍କଠାରୁ ମାଡ ଖାଇଛନ୍ତି ୧୬ ଜଣିଆ ଆସାମ ପୋଲିସ ଟିମ। ଏକ ଅପରାଧୀକୁ ଧରିବା ଲାଗି ପୋଲିସ ଟିମ ସର୍ଚ୍ଚ ଅପରେସନରେ ଯାଇଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ସେମାନେ ମାଡ ଖାଇଛନ୍ତି। ପୋଲିସମାନେ ସାଦା ପୋଷାକରେ ଥିବାସହ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିଲେ। ସେମାନେ ଆସାମ ସୀମା ପାର ହୋଇ ନାଗାଲାଣ୍ଡର ମୋକଙ୍ଗଚଙ୍ଗକୁ ଚାଲିଯାଇଥିଲେ। ସେମାନେ ସାଦା ପୋଷାକରେ ଥିବାରୁ ସ୍ଥାନୀୟ ଲୋକ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଗ୍ରହଣ କରି ମାଡ ମାରିଥିଲେ। ପରେ ନାଗାଲାଣ୍ଡ ପୋଲିସ ସେଠାରେ ଉପସ୍ଥିତ ହୋଇ ସେମାନଙ୍କୁ ଉଦ୍ଧାର କରିଥିଲା। ବଡ଼କଥା ହେଉଛି ସେମାନେ ଯେଉଁ ଚା ବଗିଚାକୁ ଯିବାର ଥିଲା ତାହାର ଲୋକେସନ ଭୁଲ୍ ଦେଖାଇବାରୁ ସେମାନେ ଭୁଲରେ ନାଗାଲାଣ୍ଡ ଚାଲିଯାଇଥିଲେ। ଏହି ୧୬ ଜଣଙ୍କ ମଧ୍ଯରୁ ୩ ଜଣ ପୋଲିସ ୟୁନିଫର୍ମରେ ଥିବାବେଳେ ଅନ୍ଯମାନେ ସାଦା ପୋଷାକରେ ଥିଲେ। ଫଳରେ ଲୋକଙ୍କ ସନ୍ଦେହ ଘନୀଭୂତ ହେବାରୁ ସେମାନେ ପୋଲିସ ଟିମ ଉପରେ ଆକ୍ରମଣ କରିଥଇଲେ। ଲୋକଙ୍କ ମାଡରେ ଜଣେ ପୋଲିସ ଆହତ ହୋଇଛନ୍ତି। ଏହି ଘଟଣା ପରେ ନାଗାଲାଣ୍ଡ ପୋଲିସକୁ ଆସାମ ପୋଲିସ ଖବର ଦେବାରୁ ସେମାନେ ଯାଇ ପୋଲିସଙ୍କୁ ଉଦ୍ଧାର କରିଥିଲେ। …