ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଲକାନଗିରି ଜିଲ୍ଲାରେ ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସରେ, ଦେଶ ବିଦେଶରେ ପ୍ରଚାର କରିବା ସହ ରାଜ୍ୟ ଓ ଦେଶ ବାହରର କଳାକାରଙ୍କ କଳାଚାତୁରୀକୁ ଜାଣିବା ପାଇଁ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବର ଆୟୋଜନ କରାଯାଇଛି।
ଆଜି ସନ୍ଧ୍ୟାରେ ମାଦଳ ବାଜିବା ସହ ଡିଏନକେ ମୈଦାନ ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲା ସଂସ୍କୃତି ପରିଷଦ ସଭାପତି ତଥା ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ ସଂପ୍ରଦାୟ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡ , ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲା ଯୋଗ ଦେଇ ଥିଲେ।
ପ୍ରଥମେ ମଣ୍ଡପ ନିକଟରେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ନଡିଆ ଭାଙ୍ଗି ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହେଁ, ଏଠାର ଐତିହ୍ୟ, ପରମ୍ପରା, କଳସଂସ୍କୃତି, ଜୀବନଧାରାର ନିଛକ ପ୍ରତିଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ। ଏହି ଉତ୍ସବ ମାଧ୍ୟମରେ ଆଦିବାସୀ କଳା ସଂସ୍କୃତି ବିଶ୍ଵଦରବାରରେ ପରିଚିତ ହେବ। ଏ ମାଟି ହେଉଛି ବୀର ସହିଦ ଲକ୍ଷ୍ମଣ ନାୟକଙ୍କର ମାଟି, ମାଲକାନଗିରି ମାଟି ପବିତ୍ର ମାଟି, ଏଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା। ଏହି ମହାନ ମାଟିର ସେବା କରିବା ଆମର କର୍ତ୍ତବ୍ୟ ରହିଛି।
ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହି ଥିଲେ। ଏହି ଅବସରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ଉନ୍ନୟନ ନିମନ୍ତେ ୨୪୫.୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ୮୮ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ମାଲ୍ୟବନ୍ତ ମଣ୍ଡପ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ମାଲ୍ୟବନ୍ତ ମଣ୍ଡପ ପଡିଆରେ ଖୋଲା ଯାଇଥିବା ବିଭିନ୍ନ ଷ୍ଟଲ ଓ ଉନ୍ନୟନ ପ୍ରଦର୍ଶନୀ ବୁଲି ଦେଖି ଥିଲେ। ମୁଖ୍ୟମନ୍ତ୍ରୀ ଆଦିମ ବଣ୍ଡା ଜନଜାତିଙ୍କୁ ପାରମ୍ପରିକ ଗୋଷ୍ଠୀଗତ ଆବାସ ବଣ୍ଟନ କରି ଥିଲେ। ସନ୍ଧ୍ୟାରେ କୃଷି ମେଳାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରି ଥିଲେ।