ସଂସଦରେ ଆସିବ ୭ଟି ବଡ଼ ବିଲ୍ । ବଦଳିଯିବ ଅନେକ ନିୟମ । UGC ଏବଂ AICTE ଇତିହାସ ହେବ? ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ୍! । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ମୋଦି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ବିଲ୍ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥା, ଜାତୀୟ ସୁରକ୍ଷା, ନ୍ୟାୟପାଳିକା ଏବଂ ବ୍ୟବସାୟିକ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲକ୍ଷ୍ୟରେ ଏହି ବିଲ୍ ଗୁଡ଼ିକ ଉପସ୍ଥାପନ କରାଯିବ ।
ପ୍ରଥମ ‘ବନ୍ଦେ ମାତରମ’ ଅପମାନ ବିରୋଧୀ ବିଲ୍ (୨୦୨୬) ବିଲ୍ । ଜାତୀୟ ଏକତା ଏବଂ ସାଂସ୍କୃତିକ ଗୌରବକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ୧୯୭୧ର ପୁରୁଣା ଆଇନରେ ସଂଶୋଧନ ଆଣୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ରାଜ୍ୟସଭାରେ ଆଗତ କରିପାରନ୍ତି । ଏହି ନୂଆ ଆଇନ ଅନୁଯାୟୀ, ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ ବେଳେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କଲେ କିମ୍ବା ଏହାକୁ ଅପମାନିତ କଲେ ତାହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣା ହେବ ।
ସେହିପରି ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍ ଦେଶର ଉଚ୍ଚଶିକ୍ଷା ନିୟାମକ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ବିଲ୍ ଅଧୀନରେ ବର୍ତ୍ତମାନ ପ୍ରଚଳିତ UGC, AICTE ଏବଂ NCTE ଭଳି ସଂସ୍ଥାଗୁଡ଼ିକୁ ହଟାଇ ସେମାନଙ୍କ ସ୍ଥାନରେ ଏକ ମିଳିତ କମିଶନ ଗଠନ କରାଯିବ । ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟକୁ ସାକାର କରିବା ସହ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଏହାର ମୂଳ ଉଦ୍ଦେଶ୍ୟ । ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ ବଜେଟ୍ ଅଧିବେଶନରୁ ବାକି ରହିଥିଲା । ଏହା ମାଧ୍ୟମରେ NGO ଗୁଡ଼ିକ ପାଉଥିବା ବିଦେଶୀ ଅନୁଦାନର ସ୍ୱଚ୍ଛତା ଉପରେ କଡ଼ା ନଜର ରଖାଯିବ । ସେମାନଙ୍କୁ ପାଣ୍ଠିର ବ୍ୟବହାର, କାର୍ଯ୍ୟକ୍ଷେତ୍ର ଏବଂ ଦାତାଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ । ଧର୍ମାନ୍ତରୀକରଣ କିମ୍ବା ଦେଶର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ହସ୍ତକ୍ଷେପକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ ଆସିବ । କୋର୍ଟରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ରହିଥିବା ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ମଞ୍ଜୁରୀପ୍ରାପ୍ତ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଏହି ବିଲ୍ ଆଣୁଛନ୍ତି । ଯାହା ପୂର୍ବରୁ ଜାରି ହୋଇଥିବା ଏକ ଅଧ୍ୟାଦେଶର ସ୍ଥାନ ନେବ । ସେପଟେ MSME ବିକାଶ ସଂଶୋଧନ ବିଲ୍ ଦ୍ବାରା ଦେଶର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ନିୟମ ସହଜ କରାଯିବ । ପ୍ରତ୍ୟକ୍ଷ କର ବ୍ୟବସ୍ଥାରେ କିଛି ପ୍ରକ୍ରିୟାଗତ ପରିବର୍ତ୍ତନ ପାଇଁ ଆୟକର ସଂଶୋଧନ ବିଲ୍ ଅଣାଯାଉଛି । ସେହିପରି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ ମଧ୍ୟ ଆସିବ । ଏହାଦ୍ବାରା ଜନ୍ମ ଏବଂ ମୃତ୍ୟୁର ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି ଏବଂ ସମୟାନୁବର୍ତ୍ତୀ କରାଯିବ । ଯାହା ଦ୍ୱାରା ସରକାରୀ ଡାଟା ଅଧିକ ସଠିକ୍ ହୋଇପାରିବ ।

